Latest Odisha News

BREAKING NEWS

୨୭ରେ ଭଦ୍ରାକାଳ ଥିବାରୁ ବାନ୍ଧନ୍ତୁ ନାହିଁ ରାଖୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ୨୮ରେ ପାଳନ ପାଇଁ ଗବେଷକଙ୍କ ପରାମର୍ଶ

ଭୁବନେଶ୍ବର: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ତଥା ଶ୍ରୀବଳଭଦ୍ର ଜନ୍ମ ନୀତି ପାଳନକୁ ନେଇ ସାଧାରଣ ଲୋକଙ୍କ ମନରେ ତୀବ୍ର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ଭଉଣୀ ନିଜ ଭାଇ ହାତରେ କେଉଁ ଦିନ ରାଖୀ ବାନ୍ଧିବ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଗଷ୍ଟ ୨୭ ଗୁରୁବାର ନା ୨୮ ତାରିଖ ଶୁକ୍ରବାର, କେବେ ପାଳିତ ହେବ ଏହି ଉତ୍ସବ? ଏହାକୁ ନେଇ ପଣ୍ଡିତ, ଜ୍ୟୋତିର୍ବିଦ ଏବଂ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମଧ୍ୟରେ ଦୁଇ ପ୍ରକାରର ମତ ପ୍ରକାଶ ପାଇଛି। ଫଳରେ ସଠିକ୍ ତାରିଖକୁ ନେଇ ରାଜ୍ୟବାସୀ ଏକ ପ୍ରକାର ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସମ୍ପାଦକ ପଣ୍ଡିତ ପ୍ରଫୁଲ୍ଲ ମିଶ୍ରଙ୍କ ସୂଚନା ଅନୁଯାୟୀ, ଲୋକମାନେ ଅଗଷ୍ଟ ୨୭ ତାରିଖ ଗୁରୁବାର ଦିନ ହିଁ ଘରେ ଗହ୍ମା ପର୍ବ ଓ ରାଖୀ ବନ୍ଧନ ପାଳନ କରିବା ଉଚିତ। କାରଣ ସେଦିନ ସକାଳ ୯ଟା ୭ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ଦିନ ତମାମ ରହୁଛି। ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣୀ ସୂର୍ଯ୍ୟୋଦୟ ତିଥିକୁ ଭିତ୍ତି କରି ପାଳନ କରାଯାଉଥିବାରୁ, ଶ୍ରୀମନ୍ଦିରରେ ୨୮ ତାରିଖ ଶୁକ୍ରବାର ଦିନ ବଳଭଦ୍ରଙ୍କ ଜନ୍ମ ନୀତି ଓ ରାଖୀ ଲାଗି ଅନୁଷ୍ଠିତ ହେବ। ମୁକ୍ତିମଣ୍ଡପର ଏହି ନିଷ୍ପତ୍ତି ସହ ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର ମଧ୍ୟ ସମ୍ପୂର୍ଣ୍ଣ ଏକମତ ପ୍ରକାଶ କରିଛନ୍ତି।

ତେବେ, ଏହି ମତକୁ ଖଣ୍ଡନ କରିଛନ୍ତି ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଓ ଅନ୍ୟତମ ଜ୍ୟୋତିର୍ବିଦ ଡକ୍ଟର ବିଭୁଦାନନ୍ଦ ଶତପଥୀ। ପଣ୍ଡିତ ରଥଶର୍ମାଙ୍କ ଯୁକ୍ତି ଅନୁଯାୟୀ, ଶ୍ରୀମନ୍ଦିରରେ ୨୮ ତାରିଖରେ ରାଖୀ ଲାଗି ନୀତି ହେଉଥିବା ବେଳେ, ମହାପ୍ରଭୁ ରାଖୀ ପିନ୍ଧିବା ପୂର୍ବରୁ ଆମେ କିଭଳି ପାଳନ କରିବା, ତାହା ଗ୍ରହଣୀୟ ନୁହେଁ। ସେହିପରି ଡକ୍ଟର ଶତପଥୀ ସତର୍କ କରାଇ ଦେଇଛନ୍ତି ଯେ, ୨୭ ତାରିଖରେ ‘ଭଦ୍ରାକାଳ’ ଯୋଗ ପଡ଼ୁଛି। ଶାସ୍ତ୍ର ଅନୁସାରେ ଭଦ୍ରାକାଳ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ନିଷେଧ। ଏହି ଅଶୁଭ ସମୟରେ ରାଖୀ ବାନ୍ଧିଲେ ଭାଇର ଆୟୁଷ ହାନି ହେବାର ବଡ଼ ଆଶଙ୍କା ରହିଛି। ତେଣୁ ୨୮ ତାରିଖ ସକାଳେ ଉଦୟ ତିଥି ଥିବାରୁ ସୂର୍ଯ୍ୟୋଦୟଠାରୁ ସକାଳ ୯ଟା ୪୦ ମିନିଟ୍ ମଧ୍ୟରେ ରାଖୀ ବାନ୍ଧିବା ପାଇଁ ସବୁଠାରୁ ଭଲ ସମୟ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି।

ଗୋଟିଏ ପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ଶାସ୍ତ୍ରୀୟ ଯୁକ୍ତି ଏବଂ ଅନ୍ୟପଟେ ସଂସ୍କୃତି ଗବେଷକ ଓ ଜ୍ୟୋତିର୍ବିଦଙ୍କ ବାରଣ। ଏହି ଦୁଇ ଭିନ୍ନ ବିଚାରଧାରା ଯୋଗୁଁ ବର୍ତ୍ତମାନ ସାଧାରଣ ଲୋକେ ଦ୍ବନ୍ଦ୍ବରେ ପଡିଛନ୍ତି। ନିଜ ଭାଇର ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି କେଉଁ ଦିନ ଭଉଣୀ ରାଖୀ ବାନ୍ଧିଲେ ତାହା ଶୁଭଫଳ ପ୍ରଦାନ କରିବ, ସେନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.