Latest Odisha News

BREAKING NEWS

ନୀତି ଆୟାେଗ ବୈଠକ: ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲର ବୈଠକ । ନୂଆ କନଭେନସନ ସେଣ୍ଟରରେ ଚାଲିଥିବା @୨୦୪୭:ଟିମ ଇଣ୍ଡିଆର ଭୂମିକା ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇନାହାନ୍ତି । ଏହି ତାଲିକାରେ ଓଡ଼ିଶା ମଧ୍ୟ ରହିଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି । ତେବେ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଲେନି  ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ, କୌଶଳ ବିକାଶ, ମହିଳା ସଶକ୍ତୀକରଣ ଏବଂ ବୁନିଆଦୀ ଢାଞ୍ଚାର ବିକାଶ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଏହି ବୖଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ନୀତି ଆୟୋଗର କହିବା ଅନୁଯାୟୀ, ଆଜି ଦିନ ତମାମ ହେବାକୁ ଥିବା ଏହି ବୈଠକ ଉପରେ ୮ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।  ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ କିମ୍ବା ଉପରାଜ୍ୟପାଳଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟ ସାମିଲ ହୋଇଥାନ୍ତି ।

ତେବେ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁ୍‌ଖ୍ୟମନ୍ତ୍ରୀ ଭଗବନ୍ତ ମାନ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏମାନଙ୍କ ସହିତ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସକେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏସକେ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଯୋଗ ଦେଇ ନାହାନ୍ତି । ଏମାନଙ୍କ ବ୍ୟତୀତ ଆଜି କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇନାହାନ୍ତି ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି । ପୂର୍ବରୁ ନବୀନ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୁହାଯାଉ ଥିଲା । କାରଣ ଦିନକ ପରେ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ ରହିଛି ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ହେଲେ ନୀତି ଆୟୋଗ ବୈଠକରେ ନବୀନ କାହିଁକି ଯୋଗ ଦେଲେନି ସେ ବିଷୟରେ କିଛି କୁହାଯାଇ ନାହିଁ ।

Leave A Reply

Your email address will not be published.