Latest Odisha News

BREAKING NEWS

ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ଜାରି ରହିବ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟଙ୍କ ମୋହର। EWS କୋଟାରେ କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବୈଧ। ଅବସର ନେବାର ଦିନକ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଏପରି ଏକ ରାୟ ଦେଇଛନ୍ତି।

୫ ଜଣିଆ ଖଣ୍ଡପୀଠରୁ ୪-୧ରେ ଏହି ରାୟ ଶୁଣାଣି ହୋଇଛି। ଏପରି କୋଟା ଉପରେ ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ଜଣେ ବିଚାରପତି ଜଷ୍ଟିସ୍ ଏସ୍. ରବିନ୍ଦ୍ର EWS କୋଟାକୁ ବେଆଇନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ନିୟମ ଭେଦଭାବରେ ପରିପୂର୍ଣ୍ଣ ଏବଂ ସମ୍ବିଧାନର ମୂଳ ବିଚାରଧାରାକୁ ​ବିରୋଧ କରେ।

ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ଦୀନେଶ ମହେଶ୍ୱରୀ ଓ ଅନ୍ୟ ଦୁଇ ଜଣ ବିଚାରପତି EWS ସଂରକ୍ଷଣକୁ ସମର୍ଥନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏହି କୋଟା ସମ୍ବିଧାନର କୌଣସି ଉଲ୍ଲଂଘନ କରୁନାହିଁ। EWS ସଂରକ୍ଷଣ ବୈଧ ଏବଂ ସାମ୍ବିଧାନିକ।

ସମ୍ବିଧାନର ୧୦୩ ତମ ସଂଶୋଧନ ମାଧ୍ୟମରେ ୨୦୧୯ ରେ ସଂସଦରୁ EWS ସଂରକ୍ଷଣ ସମ୍ବନ୍ଧୀୟ ଏକ ଆଇନ ପାରିତ ହୋଇଛି। ଏହି ନିଷ୍ପତ୍ତି ସୁପ୍ରିମକୋର୍ଟରେ ଅନେକ ଆବେଦନ ଜରିଆରେ ଚ୍ୟାଲେଞ୍ଜ କରାଯାଇଥିଲା ଯେଉଁଥିରେ ଦୀର୍ଘ ଦିନର ଶୁଣାଣି ପରେ ଆଜି କୋର୍ଟ ଏହି ରାୟ ଦେଇଛନ୍ତି।

EWS କୋଟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନରେ କୁହାଯାଇଛି ଯେ ଏସସି, ଏସଟି ଏବଂ ଓବିସିରେ ଗରିବ ଲୋକ ଅଛନ୍ତି। ତେବେ କାହିଁକି ଏହି ସଂରକ୍ଷଣ କେବଳ ସାଧାରଣ ବର୍ଗର ଲୋକଙ୍କୁ ଦିଆଯାଉଛି ଏବଂ ଏହି ବ୍ୟବସ୍ଥା ୫୦ ପ୍ରତିଶତ ସଂରକ୍ଷଣ ନିୟମକୁ ଉଲ୍ଲଂଘନ କରୁଛି। ଓବିସି ପାଇଁ ୨୭ ପ୍ରତିଶତ କୋଟା, ଏସସି ପାଇଁ ୧୫ ପ୍ରତିଶତ ଏବଂ ଏସଟି ପାଇଁ ୭.୫ ପ୍ରତିଶତ ରହିଛି।

EWS କୋଟା ଅନ୍ତର୍ଗତ ୧୦% ସଂରକ୍ଷଣ ୨୦୧୯ ରେ ଉଚ୍ଚ ଜାତି ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ଏସସିରେ EWS କୋଟାକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଏହାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଦାବି କରାଯାଇଥିଲା। ଆବେଦନକାରୀ ୫୦% ସଂରକ୍ଷଣ ସୀମା ଆଧାରରେ ଏହି କୋଟା ବ୍ୟବସ୍ଥାକୁ ଚ୍ଯାଲେଞ୍ଜ କରିଥିଲେ। ଯାହା ଖାରଜ ହୋଇଛି।

Leave A Reply

Your email address will not be published.