ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗର କଡ଼ା ପ୍ରହାର ଦେଖିବାକୁ ମିଳିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ଅଡିଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଅଡିଟର୍ ହେଲେ ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ। ବେଆଇନ ଭାବେ ଆଦାୟ ହୋଇଥିବା ପ୍ରାୟ ୧୪ ଲକ୍ଷ ୩୮ ହଜାର ଟଙ୍କା ଏହି ଦୁଇ ଅଧିକାରୀଙ୍କ ନିକଟରୁ ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଫିସ୍ରେ ନିଜର ଅଡିଟ୍ କାର୍ଯ୍ୟ ଶେଷ କରି ଉଭୟ ଅଡିଟର୍ ଏକ ଗାଡ଼ି ଯୋଗେ ଫେରୁଥିଲେ । ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଅଧାବାଟରେ ସେମାନଙ୍କୁ ଅଟକାଇଥିଲା । ଗାଡ଼ି ଯାଞ୍ଚ ସମୟରେ ପ୍ରଥମେ ସେମାନଙ୍କ ନିକଟରୁ ୫ ଲକ୍ଷ ୫୧ ହଜାର ଟଙ୍କାର ନଗଦ ରାଶି ମିଳିଥିଲା । ଏହି ଟଙ୍କାର ଉତ୍ସ ସମ୍ପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ଭିଜିଲାନ୍ସ ଅଧିକାରୀମାନେ ସେମାନେ ରହୁଥିବା ହୋଟେଲ୍ ରୁମ୍ରେ ଚଢ଼ଉ କରିଥିଲେ। ସେଠାରୁ ଖାନତଲାସୀ ବେଳେ ଆହୁରି ୮ ଲକ୍ଷ ୮୬ ହଜାର ଟଙ୍କା ଜବତ କରାଯାଇଥିଲା। ବିପୁଳ ପରିମାଣର କଳାଟଙ୍କା ମିଳିବା ପରେ ଉଭୟଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି ।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇ ବାବୁଙ୍କର ଲାଞ୍ଚ ଆଦାୟ ଶୈଳୀ ଅତ୍ୟନ୍ତ ସାଂଘାତିକ ଥିଲା । ସେମାନେ ମୁଖ୍ୟତଃ ବିଭିନ୍ନ ଆଶ୍ରମ ସ୍କୁଲ୍ ଏବଂ ଏସଏସଡି ହଷ୍ଟେଲର ଇନଚାର୍ଜ ତଥା ଅଧୀକ୍ଷକମାନଙ୍କୁ ନିଜର ଶିକାର ବନାଉଥିଲେ। ଅଡିଟ୍ ରିପୋର୍ଟରେ କୌଣସି ଆପତ୍ତି ନ ଉଠାଇବା ଏବଂ ସବୁକିଛି ଠିକ୍ଠାକ୍ ଥିବା ଦର୍ଶାଇବା ବାବଦକୁ ସେମାନେ ମୋଟା ଅଙ୍କର ଲାଞ୍ଚ ଦାବି କରୁଥିଲେ । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଆଶ୍ରମ ସ୍କୁଲ ଏବଂ ହଷ୍ଟେଲରେ ରହୁଥିବା ପ୍ରତି ଛାତ୍ରଛାତ୍ରୀଙ୍କ ପିଛା ୧୦ ଟଙ୍କା ହିସାବରେ ଏହି ଦୁଇ ଅଡିଟର୍ ଲାଞ୍ଚ ଅର୍ଥ ଆଦାୟ କରୁଥିଲେ ।

