ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ ଥିବା ଗ୍ରାନାଇଟ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରନ୍ତି । ଲକ୍ଡାଉନ୍ ଯୋଗୁଁ ଫ୍ୟାକ୍ଟ୍ରିି ବନ୍ଦ ହେବା ପରେ ସ୍ୱଳ୍ପ ସଞ୍ଚିତ ଅର୍ଥରେ କିଛିଦିନ ଯେକୌଣସି ମତେ ସେଠାରେ ଅଟକି ରହିଯାଇଥିଲେ ।
ଅଧିକ ପଢନ୍ତୁ: ଭୁବନେଶ୍ୱର-ନୂଆଦିଲ୍ଳୀ ସ୍ୱତନ୍ତ୍ର ଟ୍ରେନରେ ଲାଗିଲା ୫ ନୂଆ ବଗି
ଗତ ସାତ ଦିନ ପୂର୍ବରୁ ପ୍ରାୟ ସମସ୍ତଙ୍କ ପାଖରେ ଥିବା ଅର୍ଥ ଶେଷ ହୋଇଯିବା ପରେ ଅନୋନ୍ୟପାୟ ହୋଇ ଏହି ଶ୍ରମିକମାନେ ଓଡ଼ିଶା ଆସିବାକୁ ମନସ୍ଥ କରିଥିଲେ । କୌଣସିମତେ ସାମାଜିକ କର୍ମୀମାନେ ଏହି ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କରେ ଜାଣିବା ପରେ ଗାଡ଼ିର ବ୍ୟବସ୍ଥା କରିଥିଲେ ।
ସାମାଜିକ କର୍ମୀମାନଙ୍କଠାରୁ ଏହି ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କରେ ଖବର ପାଇବା ପରେ ରେମୁଣା ପୋଲିସ, ରେମୁଣା ତହସିଲଦାର ଚାର୍ଲସ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍ତା ତହସିଲଦାର କାର୍ତ୍ତିକ ଦାସଙ୍କ ସହିତ ଆଲୋଚନା କରିବା ପରେ ସମସ୍ତ ଶ୍ରମିକମାନଙ୍କୁ ବସ୍ତାକୁ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।
ଇତିମଧ୍ୟରେ ସମସ୍ତ ଶ୍ରମିକମାନଙ୍କର ଡାକ୍ତରୀ ପରୀକ୍ଷା ହେବା ସହିତ ସେମାନଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି ।
Comments are closed.