Latest Odisha News

BREAKING NEWS

ପୁରୀ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ୧୧ ଜଣ ଗିରଫ

ପୁରୀ: ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡ଼ାକରା ବେଳେ ଘଟିତ ହିଂସାକାଣ୍ଡରେ ସଂଶ୍ଳିଷ୍ଟ ଥିବା ୧୧ଜଣ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ପୁରୀ ବନ୍ଦ ବେଳେ ଯେଉଁ ବ୍ୟାପକ ପୋଡ଼ାଜଳା, ସରକାରୀ ଅଫିସ ମଧ୍ୟରେ ଭଙ୍ଗାରୁଜା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏଥିରେ ସଂଶ୍ଳିଷ୍ଟ ରହିଥିଲେ ଏହି ୧୧ ଜଣ ଅଭିଯୁକ୍ତ ବ୍ୟକ୍ତି । ଗିରଫ ହେବାପରେ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ପୁରୀ ପରି ଏକ ଶାନ୍ତ ସହରରେ ବୁଧବାର ଦିନ ଯେଉଁ ହିଂସାକାଣ୍ଡ ଘଟିଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । “ଆମେ ଭାବିନଥିଲୁ ଏପରି ଅପ୍ରତ୍ୟାଶିତ ଘଟଣା ଘଟିବ ବୋଲି, ଏହି ହିଂସାକାଣ୍ଡ ଘଟଣା ସମଗ୍ର ପୁରୀ ତଥା ସେବାୟତ ମାନଙ୍କ ଭାବମୂର୍ତ୍ତି ଉପରେ ନିଶ୍ଚିତ ଭାବେ ଆଞ୍ଚ ଆଣିଛି,” ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ମହାପାତ୍ର ।

ଏହି ହିଂସାକାଣ୍ଡରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ୧୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

“ମୁଁ ଶ୍ରଦ୍ଧାଳୁମାନଙ୍କୁ କହିଥିଲି ଏହି ଧାଡ଼ି ଦର୍ଶନ ସମ୍ପୂର୍ଣ୍ଣ ଭାବେ ଆମେ ପରୀକ୍ଷାମୂଳକ ଭାବେ ପ୍ରଥମଦିନ ବ୍ୟବସ୍ଥା କରିଥିଲୁ । ଏହି ଧାଡ଼ି ଦର୍ଶନରେ କିଭଳି ସୁବିଧା କି କି ସମସ୍ୟା ଉପୁଜୁଛି ତାହାକୁ ଆମେ ପରୀକ୍ଷାମୂଳକ ଭାବେ ଅନୁଧ୍ୟାନ କରୁଥିଲୁ । ପରେ ଭକ୍ତ, ଜନସାଧାରଣ ତଥା ପୁରୀ ବାସିନ୍ଦାଙ୍କଠୁ ପରାମର୍ଶ ନେଇ ଧାଡ଼ି ଦର୍ଶନ କିପରି ସୁବିଧାରେ ହୋଇପାରିବ ଏବଂ ଶ୍ରଦ୍ଧାଳୁମାନେ ଆରାମରେ କିପରି ଦିଅଁଦର୍ଶନ କରିପାରିବେ ତାହା ଆମେ ଚିନ୍ତା କରି ଧାଡ଼ି ଦର୍ଶନ ଲାଗି ଘୋଷଣା କରିଥିଲୁ । ଏବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି ଆମିକସ୍ କ୍ୟୁରୀ ।

ସେ ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଭିଡ଼ିଓ ଫୁଟେଜ ମୋତେ ଫୋନ କରି ମଗାଇଛନ୍ତି ।

ସେ ଖୁବ ଶିଘ୍ର ପୁରୀ ଗସ୍ତରେ ଆସୁଛନ୍ତି ବୋଲି କ୍ୟୁରୀ ଜଣାଇଛନ୍ତି ।” ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ହିଂସାକାଣ୍ଡ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ମଧ୍ୟ କହିଛନ୍ତି, କିଛି ଅସାମାଜିକ ତତ୍ତ୍ୱ ଏହି ବନ୍ଦ ପାଳନ ସମୟରେ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରିଥିଲେ ।

ବନ୍ଦ ପାଳନ କରୁଥିବା ସଂଗଠନ ଏହି ବିକ୍ଷୋଭକାରୀଙ୍କ ଉପରେ କୌଣସି ନିୟନ୍ତ୍ରଣ ରଖିପାରିନଥିଲେ ।

ହିଂସାକାଣ୍ଡ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ଅଭିଯୋଗ କରାଯାଇଛି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,

ଶ୍ରୀମନ୍ଦିର ପ୍ରଶାସନ ତଥା ମନ୍ଦିରର ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି ଏତଲା ଦାୟର ହୋଇଛି ।

Leave A Reply

Your email address will not be published.