Latest Odisha News

BREAKING NEWS

ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ରେଳ ଯାତ୍ରାକୁ ଆହୁରି ସୁଗମ, ଦ୍ରୁତ ତଥା ବିନା ବାଧାବିଘ୍ନରେ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । କ୍ରମାଗତ ଭାବେ ବଢୁଥିବା ଯାତ୍ରୀ ଓ ମାଲବାହୀ ଟ୍ରେନ୍‌ଗୁଡ଼ିକର ଚାପକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିଜର ପ୍ରମୁଖ ଏବଂ ବ୍ୟସ୍ତବହୁଳ ନେଟୱାର୍କଗୁଡ଼ିକୁ ‘ଫୋର-ଲେନ୍’ କରିବାକୁ ଯାଉଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ରୂପରେଖ ସମ୍ପର୍କରେ ଘୋଷଣା କରିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦେଶର ୭ଟି ପ୍ରମୁଖ ହାଇ-ଡେନ୍ସିଟି ବା ଅତ୍ୟଧିକ ବ୍ୟସ୍ତବହୁଳ ରେଳପଥକୁ ଏହି ଯୋଜନାରେ ସାମିଲ କରାଯାଇଛି, ଯାହାର ସମୁଦାୟ ଦୈର୍ଘ୍ୟ ପାଖାପାଖି ୧୧,୦୦୦ କିଲୋମିଟର ହେବ। ଏହି ବିଶାଳ ନେଟୱାର୍କରେ ଦିଲ୍ଲୀ-ହାଓଡ଼ା, ହାଓଡ଼ା-ଚେନ୍ନାଇ, ଚେନ୍ନାଇ-ମୁମ୍ବାଇ, ମୁମ୍ବାଇ-ଦିଲ୍ଲୀ, ଦିଲ୍ଲୀ-ଚେନ୍ନାଇ, ମୁମ୍ବାଇ-ହାଓଡ଼ା ଏବଂ ଦିଲ୍ଲୀ-ଗୁଆହାଟୀ ଭଳି ମୁଖ୍ୟ କରିଡର ଅନ୍ତର୍ଭୁକ୍ତ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ୧୧ ହଜାର କିଲୋମିଟର ରେଳପଥ ଦେଶର ସମୁଦାୟ ରେଳ ନେଟୱାର୍କର ମାତ୍ର ୧୬ ପ୍ରତିଶତ, କିନ୍ତୁ ଏହା ଉପରେ ସମଗ୍ର ଦେଶର ପ୍ରାୟ ୪୧ ପ୍ରତିଶତ ରେଳ ଟ୍ରାଫିକ୍ ନିର୍ଭର କରିଥାଏ। ତେଣୁ ଏହି ସୀମିତ ଟ୍ରାକ୍ ଉପରେ ଟ୍ରେନ୍ ଚଳାଚଳର ଅତ୍ୟଧିକ ଚାପ ରହୁଥିବାରୁ ଏହି ମାର୍ଗଗୁଡ଼ିକର ତୁରନ୍ତ ସମ୍ପ୍ରସାରଣ ନିହାତି ଜରୁରୀ ହୋଇପଡ଼ିଛି ।

ଏହି ଯୋଜନା ସମ୍ପୂର୍ଣ୍ଣ ହେଲେ ଭାରତୀୟ ରେଳର କ୍ଷମତାରେ ବ୍ୟାପକ ବୃଦ୍ଧି ଘଟିବ। ଫଳରେ ଗୋଟିଏ ରୁଟରେ ଏକାସାଙ୍ଗରେ ଅଧିକ ସଂଖ୍ୟକ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ବିନା କୌଣସି ଟ୍ରାଫିକ୍ ସମସ୍ୟାରେ ସୁଚାରୁରୂପେ ଚାଲିପାରିବ ।

ବିଶେଷକରି ଯାତ୍ରୀମାନଙ୍କୁ ଆଉ ଟ୍ରେନ୍ ବିଳମ୍ବ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଏହି ୧୧,୦୦୦ କିମି ମଧ୍ୟରୁ କିଛି ଅଂଶରେ ପୂର୍ବରୁ ୪ଟି ଟ୍ରାକ୍ ରହିଥିବା ବେଳେ ଅନେକ ସ୍ଥାନରେ ସମ୍ପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବଳକା କିଛି ପ୍ରକଳ୍ପର ବିସ୍ତୃତ ରିପୋର୍ଟ ଅନୁମୋଦନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି, ଯାହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ।

ଅର୍ଥନୈତିକ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏହି ପ୍ରକଳ୍ପର ଉପଯୋଗିତା ଅନେକ। ସଡ଼କପଥ ତୁଳନାରେ ରେଳପଥ ୯୦ ପ୍ରତିଶତ ଅଧିକ ପରିବେଶ ଅନୁକୂଳ ଏବଂ ସାମଗ୍ରୀ ପରିବହନ ଖର୍ଚ୍ଚ ମଧ୍ୟ ବହୁତ କମ୍ ରହିଥାଏ । ତେଣୁ ଭବିଷ୍ୟତରେ ଦେଶର ଅର୍ଥନୀତିର ବିକାଶ ସହ ତାଳ ଦେଇ ଏକ ସ୍ୱଚ୍ଛ ଓ ଶସ୍ତା ଲଜିଷ୍ଟିକ୍ସ ବ୍ୟବସ୍ଥା ନିର୍ମାଣ କରିବାରେ ଏହି ଫୋର-ଲେନିଂ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ବୈଷ୍ଣବ ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.