Latest Odisha News

BREAKING NEWS

ଗେମିଂ ଜୋନରେ ନିଆଁ ଲାଗିବା ଘଟଣା; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୨ ଗିରଫ

 

ରାଜକୋଟ: ଗୁଜରାଟ ରାଜକୋଟର ଗେମିଂ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏଥିରେ ୧୨ଜଣ ଶିଶୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେପଟେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରଶାସନ କହିଛି । ଅଗ୍ନିକାଣ୍ଡର କାରଣ ଓ ନିଆଁ ଲାଗିବା ସମୟରେ ଗେମିଂ ଜୋନରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ସକାଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳର ଯାଞ୍ଚ କରିଛନ୍ତି।

ସୂଚନା ଅନୁସାରେ, କାଲାଭାଡ ରୋଡର ଟିଆରପି ଗେମିଂ ଜୋନରେ ଗତକାଲି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ୮ ଟି ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାରେ ଗତକାଲି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛି ପ୍ରଶାସନ । ନିଆଁର ତିବ୍ରତା ଏତେ ଥିଲା ଯେ ପୁରା ୫ କିଲୋମିଟର ଦୂର ଯାଏଁ କଳା ଧୂଆଁ ଦେଖାଯାଇଥିଲା ।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଗ୍ନିକାଣ୍ଡରେ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ଗଠିତ କରାଯାଇଛି । ରାଜକୋଟ ଡେପୁଟି ମ୍ୟୁନିସିପାଲିଟି କମିଶନରଙ୍କ କହିବାନୁସାରେ, ଟିଆରପି ଗେମିଂ ଜୋନ୍ NOC ପାଇଁ ଆବେଦନ କରି ନାହିଁ, ବର୍ତ୍ତମାନ ଅନୁସନ୍ଧାନ ଯାରି ଅଛି । ବର୍ତ୍ତମାନ ସୁଦ୍ଧା କୌଣସି ଡକ୍ୟୁମେଣ୍ଟ ଗ୍ରହଣ କରାଯାଇ ନାହିଁ । ଟିଆରପି ଜୋନ୍ ମ୍ୟାନେଜର ନିତିନ ଜେନ ଏବଂ ତାଙ୍କ ସହଯୋଗୀ ଯୁବରାଜ ସିଂ ସୋଲାଙ୍କିଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.