Latest Odisha News

BREAKING NEWS

ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ, ଗୋଟିଏ ଜାଗାରେ ଏକାଠି ହେବାକୁ ମନା

ସମ୍ବଲପୁର:  ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହା ପୂର୍ବରୁ ମଧ୍ୟ  ୧୧ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିଥିଲା ପ୍ରଶାସନ। ଅନ୍ୟପଟେ ଗତକାଲି ଦିନ ୧୦ଟାରୁ ଲିଜ୍ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବା ଚାଲୁ ରହିଛି। ଫଳରେ ଲୋକେ ଅଫିସ କାର୍ଯ୍ୟ କରିପାରୁଛନ୍ତି। ତେବେ ମୋବାଇଲ ନେଟ୍ ସେବା କୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ସମ୍ବଲପୁରୁ ଉପଜିଲ୍ଲାପାଳ ଜାରି କରିଥିବା ନିର୍ଦ୍ଦେଶାନୁସାରେ, ଏହି ସମୟରେ କୌଣସି ଗୋଟିଏ ସ୍ଥାନରେ ଲୋକେ ଏକତ୍ରିତ ହୋଇପାରିବେ ନାହିଁ। ଧାର୍ମିକ ସ୍ଥଳରେ ମଧ୍ୟ ଏକାଠି ହେବାକୁ ମନା ହୋଇଛି। ଲୋକେ ଏକାଠି ହେବା ପୂର୍ବରୁ ଅନୁମତି ନେବାକୁ ହେବ। ଯେଉଁମାନଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି, ସେମାନଙ୍କ ଦ୍ୱାରା ଯେମିତ ଟ୍ରାଫିକ ସମସ୍ୟା ନଉପୁଜେ ସେଥିପ୍ରତି ଧ୍ୟାନ ଦେବେ।

ଏଥିସହିତ ସମ୍ବଲପୁରରେ ଇଦଗାରେ ସାମୂହିକ ନମାଜ ପାଠ ମନା କରାଯାଇଛି। ମସ୍‌ଜିଦ୍‌ରେ ଏକାଠି ହୋଇ ଲୋକେ ସାମୁହିକ ନମାଜ ପାଠ କରିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି। ହନୁମାନ ଜୟନ୍ତୀ ଠାରୁ ସମ୍ପ୍ରାଦାୟିକ ହିଂସାରେ ଅଶାନ୍ତ ହୋଇଥିବା ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି। ଏଥିପାଇଁ ଗତକାଲି ଦିନ ତମାମ ବିବିନ୍ନ ଶାନ୍ତି କମିଟି  ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ। ଆଲୋଚନରେ ପର୍ଯ୍ୟାକ୍ରମେ କର୍ଫ୍ୟୁ କୋହଳ କରାଯାଉଛି।

ସୂଚନାଥାଉ କି, ହନୁମାନ ଜୟନ୍ତୀରେ ବାଇକ୍ ଶୋଭାଯାତ୍ରା କରୁଥିବା ସମୟରେ ଟେକାପଥର ମାଡ଼ ହୋଇଥିଲା। ଏହାପରେ ହିଂସା ସୃଷ୍ଟି ହୋଇଥିଲା। ୧୪ ତାରିଖ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୮୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି କିଛି ଅଭିଯୁକ୍ତ ଫେରାର ଅଛନ୍ତି।

Leave A Reply

Your email address will not be published.