Latest Odisha News

BREAKING NEWS

ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ: ବରଗଡ଼ ଟାଉନ ଥାନା ପୋଲିସକୁ ବଡ ସଫଳତା । ହୋଟେଲ ରୁମରୁ ଜବତ ହେଲା ୧୨ କେଜି ଗଞ୍ଜେଇ । ସେପଟେ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ବରଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲର ରୁମ ନମ୍ବର ୧୦୩ ରେ ୨ ଜଣ ଯୁବକ ଗଞ୍ଜେଇ ଚାଲାଣ ନେଇ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଚଢାଉ ବେଳେ ଖସିଯାଉଥିବାକୁ ପ୍ରୟାସ କରୁଥିବା ଏହି ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏଥିସହ ତାଙ୍କ ଠାରୁ ଏକ ବ୍ୟାଗ ଜବତ କରିଥିଲା ପୋଲିସ । ବ୍ୟାଗକୁ ଯାଞ୍ଚ କରିବା ପରେ ସେଥିରୁ ୧୨ କେଜିର ଗଞ୍ଜେଇ ଜବତ କରିଥିଲା ପୋଲିସ । ଗିରଫ ଯୁବକ ଦ୍ଵୟ ୟୁପିର ରାଜନ ଗୌଡ଼ ଓ ହରଦେବ କୁସବା । ଜବତ ଗଞ୍ଜେଇ ବୌଦ୍ଧରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା କହିଛି ପୋଲିସ । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ମଧ୍ୟ ରେଲୱେ ଷ୍ଟେସନ ଗଣେଶ ମନ୍ଦିର ନିକଟରେ ଜଣେ ଯୁବକଙ୍କ ଠାରୁ ୩ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହି ଚଢ଼ାଉରେ ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଳକେଲ, ଏସଆଇ ସୁଶାନ୍ତ ସାହୁ, ରବି ନାରାୟଣ ତ୍ରିପାଠୀ, ଏଏସଆଇ ରଶ୍ମୀରଞ୍ଜନ ହୋତାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଷ୍ଟାଫ ସାମିଲ ଥିଲେ ।

Leave A Reply

Your email address will not be published.