Latest Odisha News

ନିଖୋଜ ହେଉଛନ୍ତି ଶିଶୁ; ପାଞ୍ଚ ବର୍ଷରେ ଗାଏବ ୨.୭୫ ଲକ୍ଷ, ୨ ଲକ୍ଷରୁ ଅଧିକ କେବଳ ନାବାଳିକା

ନୂଆଦିଲ୍ଲୀ:ଦେଶରୁ ଗାଏବ ହୋଇ ଯାଉଛନ୍ତି ଶିଶୁ । କୁଆଡେ ଯାଉଛନ୍ତି ପତ୍ତା ମିଳୁନି । କିଛି ଶିଶୁ ମିଳୁଛନ୍ତି ଆଉ କିଛି ମିଳୁନାହାନ୍ତି । ଶିଶୁ ନିଖୋଜ ଏବେ ଦେଶରେ ଏକ ଚିନ୍ତାର ବିଷୟ ହୋଇ ପଡ଼ିଲାଣି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷ ମଧ୍ୟରେ ଦେଶରେ ୨ ଲକ୍ଷ ୭୫ ହଜାରରୁ ଅଧିକ ଶିଶୁ ଗାଏବ ହୋଇଗଲେଣି । ଏମାନଙ୍କ ମଧ୍ୟରୁ ୨ ଲ’ ୧୨ ହଜାର କେବଳ ଝିଅ । ଏହି ସୂଚନା ଦେଇଛନ୍ତି, କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ।

ଗତ ସପ୍ତାହରେ ସାଂସଦରେ ଏହି ତଥ୍ୟ ଦେଇ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି,  ୨୦୧୮ରୁ ୨୦୨୩ ଜୁନ ମଧ୍ୟରେ ପ୍ରାୟ ୨ ଲକ୍ଷ ୭୫ ହଜାର ୧୨୫ ଜଣ ଶିଶୁ ଦେଶରୁ ନିଖୋଜ ହୋଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଲକ୍ଷ ୧୨ ହଜାର ୮୨୫ ଜଣ ନାବାଳିକା ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୫୦୨ ଜଣଙ୍କୁ ଖୋଜି ଆଣି ପରିବାରକୁ ହସ୍ତାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୧ ଲକ୍ଷ ୭୩ ହଜାର ୭୮୬ ଝିଅ ।

ସ୍ମୃତି ଇରାନୀ ଲୋକସଭାରେ ଏକ ଲିଖିତ ଜବାବରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଚାଇଲ୍ଡ ହେଲ୍ପ ଲାଇନ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ସାରା ଦେଶରେ କାମ କରୁଛି । ଏହି ନିଖୋଜ ଶିଶୁଙ୍କୁ ଟ୍ରାକ କରିବା ପାଇଁ ଚାଇଲ୍ଡ ପୋର୍ଟାଲ ବି ରହିଛି ।

ଏଠି କହି ରଖିବୁ, ସବୁଠାରୁ ଅଧିକ ଶିଶୁ ମଧ୍ୟପ୍ରଦେଶରୁ ଗାଏବ ହେଉଛନ୍ତି ।  ମଧ୍ୟ ପ୍ରଦେଶରୁ ନିଖୋଜ ଶିଶୁଙ୍କ ସଂଖ୍ୟା ସର୍ବାଧିକ ୬୧ ହଜାର  । ୨ ନମ୍ବରରେ ରହିଛି ପଶ୍ଚିମ ବଙ୍ଗ । ଏଠାରେ ଏହି ସମୟସୀମା ମଧ୍ୟରେ ୪୯ ହଜାର ଶିଶୁ ନିଖୋଜ ହୋଇ ଯାଇଛନ୍ତି । ଏହି ଦୁଇ ରାଜ୍ୟ ବ୍ୟତୀତ ଓଡ଼ିଶା, କର୍ଣ୍ଣାଟକ, ଗୁଜରାଟ, ଦିଲ୍ଲୀ ଏବଂ ଛତିଶଗଡରୁ ସବୁଠାରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି ।

Leave A Reply

Your email address will not be published.