Latest Odisha News

BREAKING NEWS

୧୭ ବର୍ଷୀୟ ପାଇଲଟ୍ ୫୨ ଟି ଦେଶ ପରିଦର୍ଶନ କରି କଲେ ବିଶ୍ୱ ରେକର୍ଡ଼

ବ୍ରିଟେନ୍‌: ଯେଉଁ ବୟସରେ ତାଙ୍କ ଜୀବନ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରିବାର ଅଧିକାର ନାହିଁ, ରାସ୍ତାରେ କାର ଚଲାଇବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନିଷେଧ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିପାରିବ ନାହିଁ, ସେହି ବୟସରେ ଜଣେ ପିଲା ଏପରି କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ବୟସ ସୀମା ୧୮ ବର୍ଷ ହୋଇଥିବା ବେଳେ ମାତ୍ର୧୭ ବର୍ଷ ବୟସରେ ଜଣେ ବାଳକ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି । ଏବେ ସେ ବିଶ୍ୱର ସର୍ବ କନିଷ୍ଠ ପାଇଲଟ୍ ଭାବେ ପରିଚିତ ।

ବ୍ରିଟେନରେ ଜନ୍ମ ଗ୍ରହଣ କରିଥିଲେ ମ୍ୟାକ୍ ରୁଥରଫୋର୍ଡ । ବେଲଜିୟମରେ ବଢିଥିଲେ । ମାତ୍ର୧୭ ବର୍ଷ ବୟସରେ ସେ ପାଇଲଟ୍ ହୋଇଥିଲେ । ନିଜେ ବିମାନ ଉଡ଼ାଇ ୫୨ ଟି ଦେଶ ଯାତ୍ରା କରିଥିଲେ । ମ୍ୟାକ୍ ଏହି ସଫଳତା ମାତ୍ର ୫ ମାସରେ କରିଥିଲେ । ଏହା କରି ସେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ମ୍ୟାକ୍ ସର୍ବକନିଷ୍ଠ ଏକକ ପାଇଲଟ ଭାବେ ପରିଚିତ ହୋଇଛନ୍ତି । ସେ ଗୋଟିଏ ଇଞ୍ଜିନ ବିଶିଷ୍ଟ ବିମାନ ଚଳାଇ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ ।

ମ୍ୟାକ୍ କହିଛନ୍ତି ଯେ,୨୦୨୨ ମସିହାରେ ତାଙ୍କ ବଡ଼ ଭଉଣୀ ଜାରା ୧୯ ବର୍ଷ ବୟସରେ ମଧ୍ୟ ଏକକ ପାଇଲଟ ଭାବେ ବିଭିନ୍ନ ଦେଶ ଯାତ୍ରା କରିଥିଲେ । ତେଣୁ ସେ ମଧ୍ୟ ସର୍ବକନିଷ୍ଠ ମହିଳା ପାଇଲଟ ଭାବେ ରେକର୍ଡ଼ ସୃଷ୍ଟି କରିଥିଲେ । ତାଙ୍କ ଭଉଣୀଙ୍କ ପ୍ରେରଣା ଏବଂ ଗାଇଡ୍‌ରୁ ସେ ଏହି ରେକର୍ଡ଼ ସୃଷ୍ଟି କରିପାରିଛନ୍ତି । ଏଥିରେ ତାଙ୍କ ଭଉଣୀ ସହଯୋଗ କରିଥିଲେ । ମ୍ୟାକ ୨୦୨୨ ମସିହା ମାର୍ଚ୍ଚ ୨୩ ତାରିଖରେ ବୁଲଗେରିଆର ସୋଫିଆରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ୫ ମାସ ଭିତରେ ସାରା ବିଶ୍ୱ ବୁଲି ବୁଲଗେରିଆର ସୋଫିଆରେ ୨୦୨୨ ମସିହା ଅଗଷ୍ଟ ୨୪ ତାରିଖରେ ଯାତ୍ରା ଶେଷ କରିଥିଲେ । ଏହି ସମୟରେ, ମ୍ୟାକ୍ ବିମାନ ଭିତରେ ତାଙ୍କର ୧୭ତମ ଜନ୍ମଦିନ ପାଳନ ମଧ୍ୟ କରିଥିଲେ । ମ୍ୟାକ୍‌ଙ୍କ ପିତାମାତା ମଧ୍ୟ ବୃତ୍ତିଗତ ପାଇଲଟ୍ ଥିଲେ ।

ଏହି ଯାତ୍ରା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପାଗ ଖରାପ ଯୋଗୁୁ ଅନେକ ଥର ତାଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ମଧ୍ୟ ବିଭିନ୍ନ ସ୍ଥାନରେ ଅବତରଣ କରିବାକୁ ପଡିଲା । ଥରେ ପ୍ରବଳ ପବନ ଏବଂ ବର୍ଷା କାରଣରୁ ୧୦ ଘଣ୍ଟା ଧରି ସମୁଦ୍ର ଉପରେ ବିମାନ ଉଡ଼ାଇବାକୁ ବାଧ୍ୟ ହୋଇଥିଲେ ।

ମ୍ୟାକ୍‌ଙ୍କ ପୂର୍ବରୁ, ଏହି ଟାଇଟଲ୍ ବ୍ରିଟିଶ୍ ପାଇଲଟ୍ ଟ୍ରାଭିସ୍ ଲଡ୍ଲୋଙ୍କ ନାମରେ ଥିଲା, ଯିଏ ୧୮ ବର୍ଷ, ୧୫୦ ଦିନ ବୟସରେ ବିମାନରେ ଏକକ ଯାତ୍ରା କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.