Latest Odisha News

BREAKING NEWS

ରାଜ୍ୟରେ ୧୮ ହଜାର ୨୬୮ ଜଣ ବ୍ୟକ୍ତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିଛନ୍ତି, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ଓଡ଼ିଶାରେ ୧୮ ହଜାର ୨୬୮ ଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ବନ୍ଧୁକ ରଖିବାକୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦିଆଯାଇଛି। ରାଜ୍ୟ ସରକାର ଏହି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଯୋଗାଇ ଦେଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧ ହଜାର ୩୨୭ ଜଣ ହେଉଛନ୍ତି ଖଣିଜ ସମ୍ପଦ ସମୃଦ୍ଧ କେନ୍ଦୁଝର ଜିଲ୍ଲାର। ସୋମବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

କଂଗ୍ରସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟକ୍ତିବିଶେଷଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କରାଯାଇଥାଏ। ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲ୍ଲା ଏସପିଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି ।

ତୁଷାରକାନ୍ତି ବେହେରା କହିଛନ୍ତି ଯେ ଶିଳ୍ପନଗରୀ ଅନୁଗୁଳରେ ୧୨୦୩ଟି, ବାଲେଶ୍ୱରରେ ୧୧୫୫ଟି, ଢେଙ୍କାନାଳରେ ୧୧୨୬ଟି, କଳାହାଣ୍ଡିରେ ୯୯୯ଟି ଆର୍ମ ଲାଇସେନ୍ସ ପ୍ରଦାନ କରାଯାଇଛି। ରାଉରକେଲାରେ ୪୧୧ଜଣ, ସୁନ୍ଦରଗଡ଼ରେ ୬୯୪, ଯାଜପୁରରେ ୬୩୧ଜଣ, ଝାରସୁଗୁଡ଼ାରେ ୪୨୯ଜଣ, ସମ୍ବଲପୁରରେ ୮୪୦ଜଣ, ମୟୂରଭଞ୍ଜରେ ୫୫୮ଜଣ, ଭଦ୍ରକରେ ୬୬୫ଜଣ ଓ ନୟାଗଡ଼ରେ ୯୨୩ଜଣଙ୍କୁ ଏହି ଲାଇସେନ୍ସ ମିଳିଛି।

କଟକ ଓ ଭୁବନେଶ୍ୱର ପୁଲିସ କମିସନରେଟ୍ ଅଞ୍ଚଳରେ ଏଭଳି ୩୨୫ଟି ଲାଇସେନ୍ସ ପ୍ରଦାନ କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲାରେ ୭୫ଟି ଲାଇସେନ୍ସ ପ୍ରଦାନ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାତ୍ର ୧୧ ଜଣଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କରାଯାଇଛି। ଗଞ୍ଜାମରେ ୪୨୯ଜଣ, ବ୍ରହ୍ମପୁରରେ ୩୦୯, ଜଗତସିଂହପୁର ଜିଲ୍ଲାରେ ୫୧୮ଜଣ, ପୁରୀରେ ୬୨୦ଜଣ, କେନ୍ଦ୍ରାପଡ଼ାରେ ୩୩୮ଜଣ, ଖୋର୍ଦ୍ଧାରେ ୩୪୦ଜଣ ସେହିପରି ସୋନପୁରରେ ୨୯୧ଜଣ, ବୌଦ୍ଧରେ ୨୨୫ଜଣ, ଦେବଗଡ଼ ଜିଲ୍ଲାରେ ୩୬୮ଜଣ, ନୂଆପଡ଼ାରେ ୧୭୭ଜଣ, କନ୍ଧମାଳରେ ୬୦୬ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପାଇଛନ୍ତି।

Leave A Reply

Your email address will not be published.