Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ମାମଲା, ଚେର ଲମ୍ବିଛି ସାରା ଦେଶରେ

ବଲାଙ୍ଗୀର: ଜିଲ୍ଲାରେ ପୋଷ୍ଟ ଅଫିସ ନିଯୁକ୍ତି ବେଳେ ଧରାପଡ଼ିଥିବା ନକଲି ଶିକ୍ଷାଗତ ପ୍ରମାଣପତ୍ର ରାକେଟ୍ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ନକଲି ସାର୍ଟିଫିକେଟ୍ ଓ ମାର୍କସିଟ୍ ଦୁର୍ନୀତି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏହା ବ୍ୟାପିବାରେ ଲାଗିଛି। କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏକ ରାକେଟ ଏହି ନକଲି ସାର୍ଟିଫିକେଟ ତିଆରି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ଏସପି ନୀତିନ କୁଶାଲକର କହିଛନ୍ତି, ଏଯାବତ ବହୁତ ଅଳ୍ପ କିଛି ତଥ୍ୟ ସାମ୍ନାକୁ ଆସିଛି। ଆଗକୁ ଆହୁରି ଅନେକ କିଛି ତଥ୍ୟ ସାମ୍ନାକୁ ଆସିବ। ରିଲାଏନ୍ସ ଏଜୁକେସନ ଇନଷ୍ଟିଚ୍ୟୁଟ୍ ନାମକ କୋଚିଂ ସେଣ୍ଟରରୁ ପ୍ରାୟ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ୍ ଜବତ ହୋଇଛି। ସମସ୍ତ ପ୍ରମାଣପତ୍ରଗୁଡ଼ିକ ଠିକ୍ ଭାବେ ମୁଦ୍ରିତ ହୋଲୋଗ୍ରାମ୍ ଏବଂ ଲୋଗୋ ସହିତ ମୂଳ ପ୍ରମାଣପତ୍ରଗୁଡ଼ିକ ସହିତ ପ୍ରାୟ ସମାନ ଦେଖାଯାଉଥିଲା। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମାଲିକଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଛି।

ବଲାଙ୍ଗୀର ପୋଲିସ କହିଛି ଯେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କର ପ୍ରାୟ ୪୧ଟି ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ ସହିତ ସମ୍ପର୍କ ଥିଲା। ଚଢ଼ାଉ ସମୟରେ ଜବତ ହୋଇଥିବା ସମସ୍ତ ଜାଲ୍ ପ୍ରମାଣପତ୍ରରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ନାମ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ କିଛି ତଳିଆ କର୍ମଚାରୀଙ୍କ ସହ ଅଭିଯୁକ୍ତଙ୍କର ସମ୍ପର୍କ ରହିଛି। ଯାହାକୁ ଏବେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

୪୧ଟି ବିଶ୍ବବିଦ୍ୟାଳୟ ଓ ସ୍କୁଲର ସାର୍ଟିଫିକେଟ୍ ଓ ମାର୍କସିଟ୍, ନଗଦ ୩ ଲକ୍ଷରୁ ଅଧିକ ଟଙ୍କା, କମ୍ପ୍ୟୁଟର, ହାର୍ଡ ଡିସ୍କ ଓ ସାର୍ଟିଫିକେଟର ସଫ୍ଟ କପି, ମୋବାଇଲ୍ ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଜବତ ହୋଇଛି। ଏହାବ୍ୟତୀତ ୫ରୁ ୬ଟି ଜମି ସମ୍ପର୍କିତ କାଗଜପତ୍ର ମଧ୍ୟ ବଲାଙ୍ଗୀର ପୋଲିସ ଜବତ କରିଛି। ଜାଲ୍ ସାର୍ଟିଫିକେଟ୍ ଓ ମାର୍କସିଟ୍ ବିକ୍ରିରୁ ମିଳିଥିବା ଟଙ୍କାକୁ ଅଭିଯୁକ୍ତମାନେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କିଣିବାରେ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।
ସେହିପରି ୨୭ ଜଣ ଗେଜେଟେଡ ଅଧିକାରୀଙ୍କ ରବର ଷ୍ଟାମ୍ପ ମଧ୍ୟ ଚଢାଉ ବେଳେ ଜବତ କରାଯାଇଛି।

ଏହି ରାକେଟ ସାତରୁ ଆଠ ବର୍ଷ ହେବ ଚାଲିଥିବା ସନ୍ଦେହ କରାଯାଉଛି। ଏଥିରେ ସାମିଲ ଥିବା ଅଭିଯୁକ୍ତ ଓ ଅନ୍ୟମାନେ ନକଲି ମାର୍କସିଟ୍ ପିଛା ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ଯାଏ ନେଉଥିବା ପୁଲିସ ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.