Latest Odisha News

BREAKING NEWS

ଅଶୀରେ କଂଗ୍ରେସ ଯିବ ଖସି, ବିଜେପି ୭୦ କୁ ଧରିଥିବ ବସି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏହି ଟ୍ରେଣ୍ଡକୁ ଭାଙ୍ଗିବାକୁ କଂଗ୍ରେସ ସରକାର ସବୁ ଉଦ୍ୟମ କରୁଛି।

ଏସବୁ ଭିତରେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ବାହାରିଛି। ରାଜସ୍ଥାନର ୨୦୦ ବିଧାନସଭା ସିଟରେ ୧୮୭୫ ଜଣ ପ୍ରାର୍ଥୀ ଏବେ ମଇଦାନରେ ରହିଛନ୍ତି। ଜୟପୁର ଅଞ୍ଚଳରେ ୫୦ ଟି ସିଟରେ ସବୁଠୁ ଅଧିକ ୫୧୯ ପ୍ରାର୍ଥୀ ରହିଛନ୍ତି।

କିନ୍ତୁ ବିଭିନ୍ନ ଦୃଷ୍ଟିକୋଣରୁ ଦୁଇ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରମୁଖ ନିଷ୍ପତ୍ତିରେ ଖିଲାପ କରିଥିବା କୁହାଯାଉଛି। ସବୁଠୁ ବଡ଼ କଥା ହେଲା ଟିକେଟ ଚୟନ। ଶାସକ ଦଳ କଂଗ୍ରେସ ନିଜର ଉଦୟପୁର ଚିନ୍ତନ ଶିବିରରେ ଅଧିକ ଯୁବ ବର୍ଗଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହା ପାଳନ କରାଯାଇ ନାହିଁ ବୋଲି ପ୍ରାର୍ଥୀ ତାଲିକା ଆସିବା ପରେ ଜାଣିବାକୁ ମିଳିଛି।

ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏସବୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ୭୧ ବର୍ଷରୁ ଅଧିକ ବୟସର ୧୯ ଜଣ ନେତା ରହିଛନ୍ତି। ସେଥିମଧ୍ୟରୁ ତିନି ଜଣଙ୍କ ବୟସ ୮୦ ଉପରେ। ସେହିପରି ବିଜେପି ମଧ୍ୟ ଯୁବ ବର୍ଗଙ୍କୁ ଆଗକୁ ବଢ଼ିବାର କଥା କହୁଛି କିନ୍ତୁ ଦଳର ବହୁ ନେତା ୭୦ ବର୍ଷରୁ ଅଧିକ ରହିଛନ୍ତି।

ସାଧାରଣତଃ ଯୁବ ବର୍ଗ କହିଲେ ୪୦ ବର୍ଷ ଯାଏ ବୁଝାଇଥାଏ ଏବଂ ରାଜନୀତିରେ ଏହା ୫୦ ବର୍ଷ ବୋଲି ଧରାଯାଏ। କିନ୍ତୁ ଉଭୟ ପ୍ରମୁଖ ଦଳ ଏହି ବୟସସୀମାର ନେତାଙ୍କୁ ନିରାଶ କରିଥିବା ଆଲୋଚନା ହେଉଛି।

ବିଜେପି ୫୧ ବର୍ଷରୁ ୭୫ ବର୍ଷ ମଧ୍ୟରେ ୧୩୫ ଜଣଙ୍କୁ ଟିକେଟ ଦେଇଛି। ଏପରିକି ୮୦ ବର୍ଷ ପାର କରିଥିବା ନେତା କୈଳାଶ ମେଘୱାଲ ଓ ସୂର୍ଯ୍ୟକାନ୍ତ ବ୍ୟାସଙ୍କ ଟିକେଟ କାଟିଛି ବିଜେପି। କିନ୍ତୁ ୭୫ ବର୍ଷ ପର୍ଯ୍ୟନ୍ତ ନେତାଙ୍କୁ ଟିକେଟ ଦିଆଯାଇଛି।

୭୫ ବର୍ଷୀୟ ବସୁଦେବ ଦେବନାନୀ, ୭୪ ବର୍ଷୀୟ ରତନ ଜଳଧାରୀ, ୭୦ ବର୍ଷୀୟ ବସୁନ୍ଧରା ରାଜେ ଆଦି ଅନେକ ୭୦ ବର୍ଷରୁ ଉର୍ଧ୍ଵ ନେତାଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେପିର ସବୁଠୁ କମ ବର୍ଷ ବୟସର ପ୍ରାର୍ଥୀ ହେଉଛନ୍ତି ୨୭ ବର୍ଷୀୟ ଅଂଶୁମାନ ସିଂ।

୩୧ ରୁ ୪୦ ବର୍ଷ ମଧ୍ୟରେ ୯ ପ୍ରତିଶତ, ୪୧ ରୁ ୫୦ ବର୍ଷ ମଧ୍ୟରେ ୨୩ ପ୍ରତିଶତ, ୫୧ ରୁ ୬୦ ବର୍ଷ ମଧ୍ୟରେ ୩୫ ପ୍ରତିଶତ ଓ ୬୦ ବର୍ଷରୁ ଅଧିକ ୩୪ ପ୍ରତିଶତ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି। ସେହି ତୁଳନାରେ କଂଗ୍ରେସ କିନ୍ତୁ କିଛି ଅଧିକ ଯୁବବର୍ଗଙ୍କୁ ଟିକେଟ ଦେଇଛି।

କଂଗ୍ରେସର ପ୍ରାର୍ଥୀମାନଙ୍କ ମଧ୍ୟରେ ୭୯ ପ୍ରତିଶତ ୫୦ ବର୍ଷ ମଧ୍ୟରେ ପ୍ରାର୍ଥୀ ରହିଛନ୍ତି। କିନ୍ତୁ ୮୦ ବର୍ଷ ପାର କରିଥିବା ନେତାଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି। ୪୦ ବର୍ଷ ପର୍ଯ୍ୟନ୍ତ ବହୁ ଯୁବ ବର୍ଗଙ୍କୁ ଦଳ ଟିକେଟ ଦେଇଛି।

ଯାହାର ସଂଖ୍ୟା ୩୪ ହୋଇଥିବା ବେଳେ ବିଜେପି ଠାରୁ ଏହା ପ୍ରାୟ ଦୁଇଗୁଣ ଅଧିକ। କଂଗ୍ରେସର ୮୦ ବର୍ଷରୁ ଅଧିକ ପ୍ରାର୍ଥୀ ହେଲେ ୮୪ ବର୍ଷୀୟ ଅମିନ ଖାନ, ଦୀପଚନ୍ଦ ଖେରିୟା ଓ ହରମୋହନ ଶର୍ମାଙ୍କୁ ୮୩ ବର୍ଷ ହୋଇଥିବା ବେଳେ ମହାଦେବ ସିଂଙ୍କୁ ୮୦ ବର୍ଷ।

ଦଳର ସବୁଠୁ ବର୍ଷର ପ୍ରାର୍ଥୀ କଠୁମରରୁ ୨୫ ବର୍ଷୀୟ ସଂଜନା ଜାଟବ ରହିଛନ୍ତି। କଂଗ୍ରେସର ପ୍ରାର୍ଥିଙ୍କ ମଧ୍ୟରେ ୩୦ ବର୍ଷରୁ କମ ଦେଢ଼ ପ୍ରତିଶତ, ୩୧ ରୁ ୪୦ ବର୍ଷ ମଧ୍ୟରେ ୧୫ ପ୍ରତିଶତ, ୪୧ ରୁ ୫୦ ମଧ୍ୟରେ ୨୨ ପ୍ରତିଶତ, ୫୧ ରୁ ୬୦ ମଧ୍ୟରେ ୨୫ ପ୍ରତିଶତ ଓ ୬୦ ରୁ ଅଧିକ ୩୫ ପ୍ରତିଶତ ରହିଛନ୍ତି।

ସେହିପରି କିଛି ନିର୍ବାଚନ ମଣ୍ଡଳୀରେ ଉଭୟ ଦଳର ନେତାଙ୍କ ବୟସ ତାରତମ୍ୟ ବହୁ ଅଧିକ ରହିଛି। କଠୁମରରେ କଂଗ୍ରେସ ପ୍ରାର୍ଥୀ ସଂଜନା ଜାଟଵ ୨୫ ବର୍ଷୀୟ ହୋଇଥିବା ବେଳେ ତାଙ୍କ ସହ ଲଢେଇରେ ୬୬ ବର୍ଷୀୟ ବିଜେପିର ରମେଶ ଖିଞ୍ଚି ରହିଛନ୍ତି।

କୋଲାୟତ ସିଟରେ ବିଜେପିର ୨୭ ବର୍ଷୀୟ ଅଂଶୁମାନ ସିଂଙ୍କ ସହ କଂଗ୍ରେସର ୪୯ ବର୍ଷୀୟ ଭମ୍ବର ସିଂ ଭାଟ୍ଟି ଲଢ଼ିବେ। ସେହିପରି ଶିବ ସିଟରେ ବିଜେପିର ୪୭ ବର୍ଷୀୟ ସ୍ୱରୂପ ସିଂ ଖାରାଙ୍କ ସହ କଂଗ୍ରେସର ୮୪ ବର୍ଷୀୟ ଅମିନ ଖାନ ଲଢ଼ିବେ।

ଖଣ୍ଡେଲାରେ ବିଜେପିର ୪୫ ବର୍ଷୀୟ ସୁଭାଷ ମିଲଙ୍କ ସହ ଫାଇଟ ଦେବେ କଂଗ୍ରେସର ୮୦ ବର୍ଷୀୟ ମହାଦେବ ସିଂ। ତେଣୁ ବୟସ ପ୍ରସଙ୍ଗକୁ ନେଇ ଏବେ ରାଜସ୍ଥାନରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଉଭୟ ପ୍ରମୁଖ ଦଳ ଯୁବ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଓ ବୟୋଜ୍ୟୋଷ୍ଠ ନେତାଙ୍କୁ ଅବ୍ୟାହତିର କଥା କହୁଥିଲେ ମଧ୍ୟ ତାହା କରିନାହାନ୍ତି। କଂଗ୍ରେସ ଅଧିକ ସଂଖ୍ୟକ ଯୁବ ବର୍ଗଙ୍କୁ ଟିକେଟ ଦେଇଥିଲେ ମଧ୍ୟ ୮୦ ବର୍ଷରୁ ଅଧିକ କିଛି ନେତାଙ୍କୁ ଟିକେଟ ଦେଇ ଦଳ ଚର୍ଚ୍ଚାକୁ ଆସିଛି।

Leave A Reply

Your email address will not be published.