Latest Odisha News

BREAKING NEWS

୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ଦୁଇ ଜଣ ଗିରଫ

ଭୁବନେଶ୍ୱର:  ଶୁକ୍ରବାର ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ ପୁରୀ ଡେଲାଙ୍ଗ ଅଞ୍ଚଳର ଅଟୋ ଚାଳକ ନିରଞ୍ଜନ ପଟ୍ଟଯୋଶୀ ଓ ପ୍ରଦୀପ୍ତ କୁମାର ସାହୁ।

କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ୧.୦୧୨ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏସିପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ନିଶାଦ୍ରବ୍ୟ ବିଭାଗ ଇନ୍ସପେକ୍ଟର ସୁଧୀର ସାହୁ ଓ ସନ୍ତୋଷିନୀ ବେହେରା ଡେଲାଙ୍ଗ ଅଞ୍ଚଳରୁ ଦୁଇ କୁଖ୍ୟାତ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ବାଇକ୍ ଜବତ କରିଛନ୍ତି।

ପୁଲିସ କମିସନର ଆହୁରି କହିଛନ୍ତି ଯେ, ୨୦୨୩ ମେ’ ୧୦ ତାରିଖରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗଠନ ହେବା ପରଠାରୁ ନିଶା ନିବାରଣ ଅଭିଯାନ ଆରମ୍ଭ ହୋଇଛି। ସ୍ପେଶାଲ କ୍ରାଇମ୍ ୟୁନିଟ୍ ବର୍ତ୍ତମାନ ସୁଦ୍ଧା ୧.୪୨୦ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଓ ପ୍ରାୟ ୨୩୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଗାଡି ଗୁଡିକ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.