ନିଯୁକ୍ତି ମେଳା: ପିଲାଙ୍କ ଆଦର୍ଶ ବନ୍ଧୁ ଭାବେ ମାର୍ଗଦର୍ଶନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
`ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ସେବକ/ସେବିକା ଲୋକଙ୍କ ସହାୟତା କର'
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ଓ ପ୍ରଗତିର ନୂତନ ଅଧ୍ୟାୟ । ୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି ୧୮ତମ ନିଯୁକ୍ତି ମେଳା । ଦକ୍ଷତା ବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଦେ୍ଦଶ୍ୟରେ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ ଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପର୍ୟ୍ୟାୟକ୍ରମେ ପୂରଣ ହେଉଛି। ୨୦୨୪ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ରବିବାର ୧୮ତମ ନିଯୁକ୍ତି ମେଳାର ୨,୦୬୭ ଜଣଙ୍କୁ ମିଶାଇ ସମୁଦାୟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜିର ମେଳାରେ ୧,୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇ ଆଜି ସୁଦ୍ଧା ୨୮, ୬୯୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି। ଏହାବ୍ୟତୀତ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି କରାଯାଇଥିବାବେଳେ ବର୍ଷକୁ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ମଧ୍ୟ ଆରମ୍ଭ କରାଯାଇଛି। ଏହି ଅବସରରେ ଖୋର୍ଦ୍ଧାରୁ ଆସିଥିବା ସୁଶ୍ରୀ ସୁଲଗ୍ନା ଦାସ, କେନ୍ଦୁଝରର ଶ୍ରୀ ବିଜୟ କୁମାର ନାୟକ ନୂତନ ନିଯୁକ୍ତି ପାଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ବାବୁ ସିଂ, ଉନ୍ନୟନ କମିଶନର ଡିକେ ସିଂହଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ସମସ୍ତ ନବନିଯୁକ୍ତଙ୍କ ନୂତନ ବୃତ୍ତିଗତ ଜୀବନର ଶୁଭକାମନା ଜଣାଇବା ସହ ଆଗାମୀ ଯୁବପିଢ଼ିର ଭବିଷ୍ୟତ ଗଢ଼ିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ଆପଣମାନଙ୍କ କାନ୍ଧରେ ବୋଲି କହିଛନ୍ତି।
