ନୂଆଦିଲ୍ଲୀ:ବିଷାକ୍ତ ମଦ ପିଇବା ଫଳରେ ଅତିକମରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୧୯୯୦ ମସିହାରୁ ମଦ ଉପରେ କଟକଣା ଲାଗୁ ରହିଛି। ଏହା ସତ୍ତ୍ୱେ ପୋଲିସ୍ ରାଜ୍ୟରୁ ୩,୦୦୦ ବୋତଲ ମଦ ଜବତ କରିଛି। ଏହି ଘଟଣାଗୁଡ଼ିକ ବିଭିନ୍ନ ଜିଲ୍ଲାରେ ଘଟିଛି। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛି।
ପୋଲିସର ସୂଚନାନୁଯାୟୀ, ଗତ ଦୁଇ ଦିନ ମଧ୍ୟରେ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣ ଏବଂ ଟୁଏନସାଙ୍ଗ ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଏହି ସମସ୍ତ ମୃତ୍ୟୁ ବେଆଇନ ମଦ ପାନ କରିବା ଯୋଗୁଁ ହୋଇଛି।
ପୋଲିସ ଜଣାଇଛି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ନମୁନାଗୁଡ଼ିକୁ ଫୋରେନସିକ୍ ଯାଞ୍ଚ ନିମନ୍ତେ ଗୁଆହାଟୀ ପଠାଯାଇଛି। ପୋଲିସ୍ କହିଛି, “ଆମେ କିଛି ସୁରାକ ପାଇଛୁ, କିନ୍ତୁ ଏହି ପର୍ଯ୍ୟାୟରେ ସେଗୁଡ଼ିକ ବିଷୟରେ ବିସ୍ତୃତ ତଥ୍ୟ ପ୍ରକାଶ କରିବା ଠିକ୍ ହେବ ନାହିଁ ।” ଏହି ମୃତ୍ୟୁ ଘଟଣା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୯ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩,୦୦୦ ବୋତଲ ମଦ ଜବତ କରିଛି।
ଏହି ପରିପ୍ରେକ୍ଷୀରେ, ପୋଲିସ ଲୋକମାନଙ୍କୁ ଚିହ୍ନଟ ହୋଇପାରୁନଥିବା, ଲେବଲ୍ବିହୀନ କିମ୍ବା ବେଆଇନ ବୋଲି ସନ୍ଦେହ କରାଯାଉଥିବା ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଛି। ଏହା ବ୍ୟତୀତ, ମଦ୍ୟପାନ ପରେ ଯଦି କୌଣସି ବ୍ୟକ୍ତିଙ୍କ ଠାରେ ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ଚେତା ହରାଇବା ଭଳି ଲକ୍ଷଣ ଦେଖାଦିଏ, ତେବେ ତୁରନ୍ତ ଚିକିତ୍ସା ସହାୟତା ନେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଉଲ୍ଲେଖନୀୟ ଯେ, ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ୍ୟପାନ ନିଷେଧାଦେଶ ଲାଗୁ ରହିଛି; ଏହା ସତ୍ତ୍ୱେ ଏଭଳି ଘଟଣା ଘଟିବା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି।

