Latest Odisha News

BREAKING NEWS

ପୁରୀରେ ୨୦୨୮ ସୁଦ୍ଧା ନିର୍ମାଣ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍: ପର୍ଯ୍ୟଟନ କ୍ଷେତ୍ରକୁ ମିଳିବ ବଡ଼ ବୁଷ୍ଟ୍

ପୁରୀ: ରାଜ୍ୟର ସାମୁଦ୍ରିକ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଏବଂ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତା ୨୦୨୮ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୁରୀରେ ଏକ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରକଳ୍ପର କାର୍ଯ୍ୟ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଏକ ଲିଖିତ ଉତ୍ତରରେ ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଓଡ଼ିଶା ମେରିଟାଇମ୍ ବୋର୍ଡ ମଧ୍ୟରେ ୨୦୨୪ ମସିହା ଅକ୍ଟୋବର ୨୨ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପାଇଁ ପୁରୀ ଜିଲ୍ଲା ସିପସରୁବାଲିଠାରେ ଭାର୍ଗବୀ ନଦୀ ମୁହାଣ ନିକଟରେ ପ୍ରାୟ ୯୦ ଏକର ଜମି ଚିହ୍ନଟ କରାଯାଇଛି ।

ବର୍ତ୍ତମାନ ଏହି ପ୍ରକଳ୍ପର ବ୍ୟବହାରିକ ଆକଳନ ବା ଫିଜିବିଲିଟି ପର୍ଯ୍ୟାୟ ଜାରି ରହିଛି । ପ୍ରକଳ୍ପର ବୈଷୟିକ ଏବଂ ଆର୍ଥିକ ଦିଗଗୁଡ଼ିକର ସମୀକ୍ଷା ପାଇଁ ୱାପକସ୍ ଲିମିଟେଡ୍ ନାମକ ସଂସ୍ଥାକୁ ଟେକ୍ନୋ-ଇକୋନୋମିକ୍ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଛି । ଏହି ରିପୋର୍ଟ ମିଳିବା ପରେ ଟର୍ମିନାଲ୍‌ର ପ୍ରକୃତ ଆର୍ଥିକ ରୂପରେଖ ଓ ପରିଚାଳନାଗତ ଢାଞ୍ଚା ନିର୍ଦ୍ଧାରଣ କରାଯିବ ।

ପ୍ରକଳ୍ପର ଯୋଜନା, ସମନ୍ୱୟ ଏବଂ ତ୍ୱରିତ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପର୍ପୋଜ୍ ଭେଇକିଲ୍ ବା ସ୍ୱତନ୍ତ୍ର ଉଦ୍ଦେଶ୍ୟ ଗଠନ କମିଟି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହା ଓଡ଼ିଶା ମେରିଟାଇମ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ।

ଥରେ ଏହି କ୍ରୁଜ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହୋଇଗଲେ, ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବଡ଼ ବଡ଼ ଅନ୍ତର୍ଜାତୀୟ କ୍ରୁଜ୍ ଜାହାଜ ସିଧାସଳଖ ପୁରୀକୁ ଆସିପାରିବେ । ଏହାଦ୍ୱାରା ପୁରୀ ଗ୍ଲୋବାଲ୍ କ୍ରୁଜ୍ ଟୁରିଜିମ୍ ନେଟୱାର୍କ ସହ ସିଧାସଳଖ ଯୋଡ଼ି ହୋଇପାରିବ । ପୁରୀକୁ କେବଳ ଏକ ଧାର୍ମିକ କ୍ଷେତ୍ର ନୁହେଁ, ବରଂ ଏକ ଆନ୍ତର୍ଜାତିକ ସମୁଦ୍ର ପର୍ଯ୍ୟଟନର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବା ସହ ରାଜ୍ୟରେ ହୋଟେଲ, ପରିବହନ ଏବଂ ଆନୁଷଙ୍ଗିକ ବ୍ୟବସାୟ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.