ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧି ଦଙ୍ଗା ମାମଲାର କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ତେବେ ତାଙ୍କୁ ଦଣ୍ଡ ଶୁଣାଣୀ ଆସନ୍ତା ଫେବୃଆରୀ ୧୮ ତାରିଖରେ କରାଯିବ । ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ୱତୀ ବିହାରରେ ଜସୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାର ଜଣେ ଅଭିଯୁକ୍ତ ଥିଲେ ସଜ୍ଜନ କୁମାର । ଏହି ମାମଲାରେ କୋର୍ଟ ଆଜି ତାଙ୍କର ରାୟ ପ୍ରଦାନ କରିଛନ୍ତି।
କୋର୍ଟ ଅଭିଯୁକ୍ତ ସଜ୍ଜନ କୁମାରଙ୍କ ବିରୋଧରେ ଆଇପିସିର ଧାରା ୧୪୭/ ୧୪୮/ ୧୪୯/ ୩୦୨/ ୩୦୮/ ୩୨୩/ ୩୯୫/ ୩୯୭/ ୪୨୭/ ୪୩୬/ ୪୪୦ ଲଗାଇଛି । ତେବେ ଏସଆଇଟିର ଅଭିଯୋଗ ଅନୁସାରେ, ସଜ୍ଜନ କୁମାର ଭିଡ଼ର ନେତୃତ୍ୱ ନେଉଥିଲେ ଏବଂ ତାଙ୍କ ପ୍ରରୋଚନାରେ, ଭିଡ଼ ଦୁଇ ଜଣଙ୍କୁ ଜୀଅନ୍ତା ଜାଳି ଦେବା ସହ ତାଙ୍କ ଘରର ସମସ୍ତ ଜିନିଷପତ୍ର ମଧ୍ୟ ଜାଳି ପୋଡି ନଷ୍ଟ କରିଦେଇଥିଲା । ଉତ୍ତ୍ୟକ୍ତ ଲୋକେ ପୀଡିତଙ୍କ ଘରକୁ ସମ୍ପୁର୍ଣ୍ଣ ଭାବରେ ପୋଡ଼ି ଦେଇଥିଲେ । ଏଥସହ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ୧ ନଭେମ୍ବର, ୨୦୨୩ରେ, କୋର୍ଟ ଏହି ମାମଲାରେ ସଜ୍ଜନ କୁମାରଙ୍କ ବୟାନ ରେକର୍ଡ କରିଥିଲେ । ସେତେବେଳେ ସଜ୍ଜନ କୁମାର ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ।
ଜାନୁଆରୀ ୩୧ ତାରିଖରେ ଶୁଣାଣି ସମୟରେ ସଜ୍ଜନ କୁମାରଙ୍କ ଓକିଲ କହିଥିଲେ ଯେ, ମାମଲା ଆରମ୍ଭରୁ ସଜ୍ଜନଙ୍କ ନାମ ସେଥିରେ ନଥିଲା। ସାକ୍ଷୀ ଦୀର୍ଘ ୧୬ ବର୍ଷ ପରେ ସଜ୍ଜନ କୁମାରଙ୍କ ନାମ ନେଇଥିଲେ। ଅନ୍ୟପଟେ ସରକାରୀ ଓକିଲ କହିଥିଲେ ଯେ, ପୀଡିତା ଜଣଙ୍କ ଅଭିଯୁକ୍ତଙ୍କୁ ଜାଣି ନଥିଲେ। ଯେତେବେଳେ ସେ ଜାଣିପାରିଲେ ଯେ ସଜ୍ଜନ କୁମାର କିଏ, ସେତେବେଳେ ସେ ତାଙ୍କ ନାମ ନିଜ ବୟାନରେ ଦେଇଥିଲେ। କହିରଖୁଛୁ ଯେ, ସଜ୍ଜନ କୁମାର ବର୍ତ୍ତମାନ ଦିଲ୍ଲୀ କ୍ୟାଣ୍ଟନରେ ଆଉ ଏକ ଶିଖ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
Comments are closed.