ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ୮୦୫ ଟି ଆପ୍ସ ସାଙ୍ଗକୁ ୩୨୬୬ଟି ଓ୍ବେବସାଇଟ ଲିଙ୍କକୁ ବ୍ୟାନ କରିଛନ୍ତି । ସାଇବର କ୍ରାଇମ୍କୁ ରୋକିବାକୁ କେନ୍ଦ୍ର ସରକାର କିଛି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ସଂସଦୀୟ ଦଳ କମିଟି ନିଷ୍ପତ୍ତିରେ ମଧ୍ୟ ଏହାକୁ ମସର୍ଥନ ମିଳିଛି । ଏହାପରେ ଦେଶରେ ଏବେ କିଛି ଆପ୍ସ ଏବଂ ଓ୍ବେବସାଇଟକୁ ବ୍ୟାନ୍ କରିଛନ୍ତି ସରକାର ।
ଜାତୀୟ ସୁରକ୍ଷା କାରଣରୁ ୧୪ସିର ସୁପାରିଶ କ୍ରମେ ଏହି ୮୦୫ଟି ଆପ୍ସ ଏବଂ ୩୨୬୬ ୱେବସାଇଟ୍-ଲିଙ୍କଙ୍କୁ କେନ୍ଦ୍ର ପକ୍ଷରୁ ଅବରୋଧ କରାଯାଇଛି । ୩୯୯ଟି ବ୍ୟାଙ୍କ ଏବଂ ଆର୍ଥିକ ମଧ୍ୟସ୍ଥିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଏହାସହିତ, ୬ ଲକ୍ଷରୁ ଅଧିକ ସନ୍ଦିଗ୍ଧ ତଥ୍ୟ ସେୟାର କରାଯାଇଛି। ୧୯ ଲକ୍ଷରୁ ଅଧିକ ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ କରାଯାଇଛି ଏବଂ ୨୦୩୮ କୋଟି ଟଙ୍କାର ସନ୍ଦେହଜନକ କାରବାରକୁ ମଧ୍ୟ ଅବରୋଧ କରାଯାଇଛି । ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ବିଷୟ ଉପରେ ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ବୈଠକର ଅଧ୍ୟକ୍ଷତା କରି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି ।
ଏନେଇ ଶାହ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଜିଟାଲ୍ ଭିତ୍ତିଭୂମି ବିସ୍ତାର ହୋଇଛି । ଯାହା ଫଳରେ ସ୍ୱାଭାବିକ ଭାବରେ ସାଇବର ଆଟାକ୍ ସଂଖ୍ୟା ବୃଦ୍ଧି ପାଇଛି । ଯଦି ଆମେ ସାଇବର ସ୍ପେସକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା, ତେବେ ଏହା ସଫ୍ଟୱେର୍, ସେବା ଏବଂ ଉପଭୋକ୍ତାର ଏକ ଜଟିଳ ନେଟୱାର୍କ ବୋଲି କହିପାରିବା । ଯେପର୍ଯ୍ୟନ୍ତ ସଫ୍ଟୱେର୍, ସେବା ଏବଂ ଉପଭୋକ୍ତା ମାଧ୍ୟମରେ ସାଇବର ଠକେଇକୁ ନିୟନ୍ତ୍ରଣ କରାଯାଇ ନାହିଁ, ସେପର୍ଯ୍ୟନ୍ତ ସାଇବର ସ୍ପେସର ସମସ୍ୟାର ସମାଧାନ କରିବା ବି ଅସମ୍ଭବ ହେବ ।
ଏଥିସହିତ ସେ ଏହା ବି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଭାରତକୁ ସାଇବର ଠକେଇ କବଳରୁ ସୁରକ୍ଷିତ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସାଇବର ଅପରାଧ ସମସ୍ତ ଭୌଗୋଳିକ ସୀମାକୁ ଦୂର କରିଦେଇଛି । ଏହା ଏକ ସୀମାହୀନ ଏବଂ ଆକାରହୀନ ଅପରାଧ, କାରଣ ଏହାର କୌଣସି ସୀମା କିମ୍ବା ସ୍ଥିର ରୂପ ନାହିଁ । ଗତ ଦଶନ୍ଧିରେ ଭାରତ ଏକ ‘ଡିଜିଟାଲ୍ ବିପ୍ଳବ’ ସୃଷ୍ଟି ହୋଇଛି । ଡିଜିଟାଲ୍ ବିପ୍ଳବର ଆକାର ଏବଂ ପରିସରକୁ ନ ବୁଝି ଆମେ ସାଇବର କ୍ଷେତ୍ରରେ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହୋଇପାରିବୁ ନାହିଁ ବୋଲି ମନ୍ତବ୍ୟ ରଖିଛନ୍ତି ଶାହା ।
Comments are closed.