Latest Odisha News

BREAKING NEWS

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ସାମ୍ୟ ସହିତ ବୈପରୀତ୍ୟ
ମିଶିଲେ ଗଢ଼ଂତି ସାହିତ୍ୟ
ବ୍ୟକ୍ତିର ଦୃଢ଼ ଆନୁଗତ୍ୟ
ବିଚାର କରେନି ଔଚିତ୍ୟ

ଔଦ୍ଧତ୍ୟ କିଂବା ଆଭିଜାତ୍ୟ
ଯୋଗୁଁ ସାଧକ ହେଲେ ଭୃତ୍ୟ
ଶବ୍ଦର ସୁରମ୍ୟ ସ୍ଥାପତ୍ଯ
ଲୁଚାଇ ରଖିପାରେ ସତ୍ୟ

ସହସ୍ରାଧିକ ବର୍ଷ ଧରି
ସ୍ବଭାଷା ଥିଲା ଯେଉଁପରି
ସହସା ତାହା ତ୍ୟାଗ କରି
ଲୋକେ ହୋଇଲେ ଦାସ ସରି

ଅନେକ ଭାଷାର ପ୍ରଭାବ
ଯୋଗୁଁ ସ୍ବଭାଷୀଂକ ସ୍ବଭାବ
ହୋଇଲା ଆଡ଼ଂବରପୂର୍ଣ
ଭାଷାର ମାନ ହେଲା ନ୍ୟୂନ

ମତ ପାର୍ଥକ୍ଯ ସ୍ବାଭାବିକ
ବୁଝଂତିନାହିଁ ବହୁ ଲୋକ
ହେବାକୁ ଭାଷା ନିୟଂତ୍ରକ
ସାଜଂତି ଜ୍ଞାନୀ ଗବେଷକ

ବହୁ ସ୍ତରରେ ଚଳି ଭାଷା
ହୋଇଛି ସହଜ, ସରସା
ତାହାର ଚିହ୍ନାଜଣା ରୂପ
ଏବେ ହେବ କି ଧ୍ବଂସ ସ୍ତୂପ ?

ଆଶଂକାଗ୍ରସ୍ତ ହେଲେ ମନ
ନ ଚଳେ ଭାଷାକର୍ମମାନ
ନ ହେଲେ ଲିଖନ, ପଠନ
ଭାଷା କେ କରିବ ଗଠନ ?

କାହାକୁ କେବେ ନ ଧିକ୍‌କାରି
ସଭିଂକୁ ପାରିଲେ ସ୍ବୀକାରି
ସ୍ବଭାଷା ପାଇଲେ ଆଦର
ଉନ୍ନତ ହେବ ପୁନର୍ବାର

କାହା ପସଂଦ ଅନୁଯାୟୀ
ଯଦି କେ କିଛି ଲେଖୁନାହିଁ
ତତ୍କାଳ କରିଲେ ଉପେକ୍ଷା
ଦେବାକୁ ପଡ଼ିବନି ଶିକ୍ଷା

Comments are closed.