ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅତ୍ୟୁକ୍ତି ବୋଲି ସୁଦ୍ଧା ଜାଣି
ସେ କଥା କିଆଁ କହୁଁ ପୁଣି
ଥରଟେ ନିଜକୁ ପଚାରୁଁ
କ’ଣ କହିବା ସ୍ଥିର କରୁଁ
ଅଯଥା ଶବ୍ଦ ଅପଚୟ
କରିଲେ ଭାବ ହୁଏ କ୍ଷୟ
ମାପିଚୁପି କହିଲେ କଥା
ଧ୍ବନିରେ ରହେ ସାରବତ୍ତା
ବକ୍ତବ୍ୟ କଲେ ସୁନିର୍ଦିଷ୍ଟ
ମନୋଭାବ ବି ହୁଏ ସ୍ପଷ୍ଟ
ଶ୍ରୋତାକୁ ମିଳେନାହିଁ କଷ୍ଟ
ସମୟ ହୁଏନାହିଁ ନଷ୍ଟ
ପ୍ରସଂଗ ବଂକେଇ, ବୁଲେଇ
ଅଧିକ ଲେଖନୀ ଚଲେଇ
ଯେ ଲେଖିରଖେ ବାକ୍ୟାବଳି
ତା ନୁହେ ତା’ର ଚିଂତା ଭଳି
ଲେଖା, ଶୁଣାକୁ ଲେଖି, କହି
ଅନେକେ ଥିଲେ ସୁଦ୍ଧା ରହି
ଭାଷାର କବି ଓ ଲେଖକ
ରଖଂତି ସ୍ବଚିଂତାର ଟେକ
ପ୍ରବଚକ ଓ ପ୍ରଚାରକ
ହୋଇଲେ କବି ଓ ଲେଖକ
ଭାଷାର ଦୀପ୍ତି ହୁଏ ମ୍ଳାନ
ଏହି ସତ୍ୟକୁ ଦେଉଁ ଧ୍ୟାନ
ନୂଆ ଭାବନା, ନୂଆ ଭାଷା
ବଢ଼ାଏ ବିଶ୍ବାସ, ଭରସା
ପୁରୁଣା କଥା ଲେଖି, କହି
ଭାଷାକୁ ହୁଏନି ବଢ଼ାଇ
ଭାଷା ମୁଖ୍ଯ, ଭାବନା ଗୌଣ
ହେଲେ ଅଯଥା ଅକାରଣ
ଲେଖାଟେ ହୁଏ ଦୀର୍ଘତର
ପାଠକ କରେନି ସ୍ବୀକାର
ଲେଖକେ ହେଲେ ମିତାଚାରୀ
ପାଠକେ ନିଅଂତି ଆଦରି
ରହିଛି ଅନେକ ଦୃଷ୍ଟାଂତ
ଆଦିକାଳରୁ ଏପର୍ଯଂତ
Comments are closed.