Latest Odisha News

ପଡ଼ି ମଣ୍ଡୁକ ଅହି କବଳେ

ଆମ ଗାଁ ପାଖ ଗାନୁଆ ମୋ ଧୂଳିଖେଳ ବେଳର ଚାହାଳି ସାଙ୍ଗ । ଗଲା ତିନି ବର୍ଷ ହେଲା କରୋନା ମହାମାରୀ ପାଇଁ, ଦିଲ୍ଲୀରେ ରହୁଥିବା ଗାନୁଆର ପୁଅ -ବୋହୂ ଗାଁକୁ ଆସିପାରିନଥିଲେ । ଗାନୁଆ ବି ଆଗରୁ କେବେ ଟ୍ରେନରେ ବସି ବାହାର ରାଇଜକୁ ଯାଇନଥିବାରୁ ମତେ ତା’ସାଥୀରେ ଦିଲ୍ଲୀ ଯିବାକୁ ଡାକିବାରୁ ମୁଁ ସାତଦିନ ଛୁଟିରେ ତା’ ସହ ଗଲି । ଆମେ ଟ୍ରେନରେ ବସିବା ପରେ ଗାଡି ଛାଡ଼ିଲା । କେଇଘଣ୍ଟା ପରେ ଗାନୁଆ ମତେ ପଚାରିଲା -ଭାଇ ! ଏ ଗାଡି କୋଉ ଗଡିଆ ପଡିଆ ଥିବା ଜାଗାଦେଖି ରହିବନି କି?

ମୁଁ କହିଲି କାହିଁକି? ସେ କହିଲା, “ଉଦର ଖଲାସକରିଥିଲେ ମନ ଉଲ୍ଲାସିଆ ହେଇଯାଇଥାନ୍ତା । “”ହସକୁ ଚପେଇ ଟ୍ରେନରେ ଥିବା ଶୌଚାଳୟକୁ ଦେଖେଇ କାମସାରିଆସିବାକୁ କହିଲି । ଟିକେ ସମୟପରେ ଓଠ ଫଟେଇ ମତେ ଗାଳିଦେଇ କହିଲା.. ଏତେ ଦହଗଞ୍ଜ ହବାର ଜାଣିଥିଲେ, ମୋଟେ ଆସିନଥାନ୍ତି । ବୁଝିଲାବେଳକୁ କଣନା ପଡିଆରେ ବସିଲାପରି କମୋଡ଼ ପାଇଖାନା ଉପରେ ଗୋଡଟେକି ବସୁ ବସୁ, ଚଳନ୍ତା ଟ୍ରେନର ଦୋହଲାରେ ହାମୁଡ଼େଇପଡି ଓଠ ଫଟେଇଛି। ତେବେ ବହୁକଷ୍ଟରେ ତାକୁ ବୁଝେଇ ଇଣ୍ଡିଆନ ସିଟିଂ ଲାଟ୍ରିନରେ କାମ ସରେଇଲି ।

ଦିଲ୍ଲୀରେ ପହଞ୍ଚିବା ପରେ ପରେ ପୁଅ -ବୋହୂ ଆସି ଆମକୁ ନେଇଗଲେ । ସେମାନେ ତାଙ୍କ ଭଡାଘରଠାରୁ ଅନ୍ତତଃ ପଚାଶ କିଲୋମିଟର ଦୂରରେ ଥିବା କୋଉ ମଲ୍ଟିନ୍ୟାସିନାଲ କମ୍ପାନୀରେ ଉଚ୍ଚବେତନରେ ଚାକିରୀକରି ଦିନକୁ ବାରଘଣ୍ଟିଆ ଡିଉଟି କରନ୍ତି । ରାତିଥାଇ ଉଠି ନିତ୍ୟକର୍ମ ସାରି ରୋଷଇକରି ତରବରେ କଣ ଦିଟା ଖାଇ ଉଭୟେ କମ୍ପାନୀକି ବାହାରିଯିବା ଆଗରୁ ବଳକା ଖାଦ୍ୟକୁ ଥଣ୍ଡା ମେସିନ ଭିତରେରଖିଦେଇ ଯାଆନ୍ତି । ପୁଣି ବିଳମ୍ବ ରାତିରେ ଫେରି ତାକୁ ଗରମକରି ଖାଇ ଖୁବ କମ ସମୟ ବିଶ୍ରାମଭିତରେ ପରଦିନ ଡିଉଟି କମ୍ପାନୀ ହିତଚିନ୍ତାରେ ବ୍ୟସ୍ତଥାନ୍ତି।  ଆମପାଇଁ ଯେମିତି ତାଙ୍କ ବେଳନାହିଁ । ତାଙ୍କ ହାବଭାବରୁ ମତେ ଲାଗୁଥିଲା ସେମାନଙ୍କ ପାଇଁ ଆମେ ବୋଝ । ଏଣେ ବୁଢ଼ାର ମନ ବଡ଼ଖରାପ ଯେ ଏଯାଏ ବାହାଘର ଛ ‘ବରଷ ପରେ ବି ଜେଜେ ଡ଼ାକ ଶୁଣିପାରିଲାନି । ତାଙ୍କୁ ବା ବେଳକାହିଁ.. ଛୁଆଟିଏ ପାଇଁ ଚିନ୍ତା କରିବାକୁ । ଛୁଆ ହେଲେ ବଡ ଝାମେଲା । ଛୁଟିରେ ରହିବାମାନେ ଗୁଡ଼ାଏ କ୍ଷତି । ତା ଛଡା ଡିଉଟିକି ଗଲେ କିଏ ଛୁଆକୁ ବାରଘଣ୍ଟା ମା ବିନା ସମ୍ଭାଳି ଦାୟିତ୍ୱ ବୁଝିବ? ଗାଁରୁ ଆସି ବୁଢ଼ା କି ବୁଢ଼ୀ ରହିଲେ ଅସୁବିଧା । ଏତେ ସମୟ ବିନା ସାଙ୍ଗସାଥୀରେ ରହିବା ଅସମ୍ଭବ ।

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ମୋଟା ରୋଜଗାରରେ ବହୁତ ବଡ ଦାମୀ ଖଟ ପଡିଛି । କାନ୍ଥ ଭଳିଆ ବଡ଼ ଏଲ ଇଡି ଟିଭି ଲାଗିଛି । ହେଲେ ସେଥିରେ ଶୋଇ ଟିଭି ଦେଖିବାକୁ କାହାକୁ ସମୟ କାହିଁ? ମୋଟା ଆୟକୁ ଭୋଗକରିବାକୁ କୋଳରେ ଭବିଷ୍ୟତ ନାହିଁ । ତା ଛଡା ଗାନୁଆ ଗାଁର ଲକ୍ଷ ଲକ୍ଷ ଟଙ୍କାର ବେପାର, ଜମିବାଡ଼ି., ଘରଦ୍ୱାର ଛାଡି ଏଠି ରହି ଏତେ ମୋଟା ଆୟର କ୍ଷତି ସହି ପାରିବନି ବୋଲି କହୁଥିଲା । ଅଭାବ ନୁହଁ ବରଂ ଆର୍ଥିକ କ୍ଷତି ସହିନପାରିବା ପାଇଁ ଏମାନେ ସନ୍ତାନ ସୁଖରୁ ବଞ୍ଚିତ । ଏମାନଙ୍କୁ ଅନେଶ୍ଵତ ବେମାରୀ ଗ୍ରାସିଛି l ଯେତେ ଅର୍ଥଜଳ ମିଳିଳେବି ଅଭାବ ତୃଷ୍ଣା ମେଣ୍ଟୁନି ।

ଆମେ ଫେରିବା ଆଗରୁ ସମସ୍ତେ ଥିଲାବେଳେ ଅବଶ୍ୟ ଅନେକ କଥା କହିଲି । ହେଲେ ଫଳାଫଳ ଶୂନ । ଏକଥା କହିଛି ଯେ ଏ ଉଚ୍ଚଆୟ କାହାପାଇଁ? ନା ଅଛି ଆଖିରେ ନିଦର ଆନନ୍ଦ, ନା ଅଛି ଭଲଖାଇବା ବୁଲିବାର ସୁଖ.. ନା ଅଛି ସନ୍ତାନରେ ଭଲପାଇ ମମତାର ଆନନ୍ଦ । ମତେ ଲାଗୁଛି.. ଉଚ୍ଚ ଆୟ, ସୁଖ ପାଇଁ ନୁହଁ ବରଂ ବଡ଼ ଦୁଃଖପାଇଁ ।

ମା -ବାପା ପିଲାଙ୍କୁ ବଡକରେଇବାର ସ୍ବପ୍ନରେ ବିଭୋରହୋଇ ବାସ୍ତବତାଠୁ ଦୂରେଇଯାଉଛନ୍ତି। ପିଲାକୁ ଉଚ୍ଚଶିକ୍ଷାଦେଇ ଏତେ ଉଚ୍ଚକୁ ଚଢେଇ ବସେଇଦିଅନ୍ତି ଯେ, ନା ପିଲାର ମଥା ତଳକୁ ନଇଁ ପାଦଛୁଇଁ ଆଶୀର୍ବାଦ ନେଇପାରେ, ନା ମା ବାପାଙ୍କ ହାତ ଆଶୀଷଦେବାକୁ ତା ମଥାରେ ପହଞ୍ଚି ପାରେ । ବେଶୀ ଉଚ୍ଚଗଛରୁ ଫଳତୋଳି ଖାଇହୁଏନି କି ତା ଛାଇରେ ଶୋଇହୁଏନି।  ଖାଲିଯାହା ଧୂ ଧୂ ଖରାର ଉତ୍ତାପ ସହି ଜୀଇଁବାକୁ ପଡେ ।  ଏଇ ଉଚ୍ଚଆୟ, ଆମକୁ ବହୁତକିଛି ମରିବାଯାଏ ଦେଇଯାଏ.. ତାହାହେଲା ହାର୍ଟ, ଡାଇବେଟିସ. କୀଡୀନି ବେମାରୀ ସହିତ ଫ୍ରି ରେ ଉଚ୍ଚରକ୍ତଚାପ ।

ଦୁଇବନ୍ଧୁ ଫେରନ୍ତାଟ୍ରେନରେ ବସିଥାଉଁ ।  ଲୋକଟେ ଚିଲେଇ କହୁଥାଏ.. ବଡା.. ସମସା , ବଡା ସମସା… । ଗାନୁଆ ମତେ ପଚାରିଲା.. ଏ ରେଳଗାଡ଼ିରେ ପୁଣି କି ବଡ ସମସ୍ୟା ହେଲା? ବରା. ସିଙ୍ଗଡ଼ା ବିକୁଥିବା ଲୋକଟାଆଡେ ଚାହିଁ ଭାବୁଥିଲି.. ସେ ବି ତା ପିଲା ଛୁଆ ପରିବାରରେ ରାତିରେ ଶାନ୍ତିରେ ଶୋଉଥିବ.. ଆମଠୁ ନିରୋଗ ରହୁଥିବ । ଗାନୁ କୁ କହିଲି ସମସ୍ୟା ଟ୍ରେନର ନୁହଁ.. ବରଂ ଆମଭଳି ଉଚ୍ଚଅର୍ଥଆୟ ଭାବନାରେ । ଗାଁ ଗଣ୍ଡା ପରିବାର ଛାଡି, ଟ୍ରେନ ବା ଏରୋପ୍ଲେନ ଚଢି ବିଦେଶ ଯାତ୍ରାମୋହରେ l ସମସ୍ୟା ବଢିଛି. ସୁଖ ଶାନ୍ତି ପ୍ରେମ ସମ୍ପର୍କରେ। ମନେପକା ମହାବାତ୍ୟା ହେଉ କି କରୋନାର କରୁଣ ପରିସ୍ଥିତି ହେଉ ଅବା ଭୟଙ୍କର ଯୁଦ୍ଧସ୍ଥିତିରେ ବିକଳହୋଇ ବିଦେଶୀପୁଅର ଗାଁ କୁ ଫେରୁଥିବାର ଚିତ୍ର ।

କିଛିସମୟପରେ ଗାନୁଆ କହିଲା.. ଭାଇ ! ମୋ ମୁଣ୍ଡଟା କାହିଁ ଭାରି ଘାଉଁରେଇ ଦେଉଛି । ପରବର୍ତ୍ତୀ ଷ୍ଟେସନରେ ଓଲ୍ହାଇ ତାକୁ ଡାକ୍ତରଖାନା ନେଲାବେଳେ ଭାବୁଥିଲି.. ଗାନୁର ଉଚ୍ଚଆୟ ସାଥିରେ ଉଚ୍ଚ ରକ୍ତଚାପ ବଢ଼ିଗଲା କି ଆଉ??

Comments are closed.