Latest Odisha News

କବିତା : ଜଟାୟୁ

ସୁମିତା ବେହେରା ବାପି 

ମୁଁ,.. ଆଜିର ଜଟାୟୁ,
ମୋ ବିଶାଳ ପକ୍ଷରେ ଭରିରହିଛି, ଅସୀମ ଶକ୍ତି ;
ମୋ ତୀକ୍ଷ୍ଣ ଚଞ୍ଚୁରେ ସାଇତା ଅଛି,
ଛିନ୍ନଭିନ୍ନ କରିଦେବାର ଦୁର୍ବାର ସାମର୍ଥ୍ୟ ;
ବଳିଷ୍ଠ ପଞ୍ଝା ମୋର, ସକ୍ଷମ ଯୁଝିବାକୁ,
ତୋ’ ପରି ଅୟୁତ ରାବଣ ସହ ।

ହେ ଆଜିର ରାବଣ!
ପୁଷ୍ପକରେ ବସି ଆସ୍ ତୁ,
ଦେଖା ତୋ’ର ଭୀରୁ ପରାକ୍ରମ,
ଚେଷ୍ଟା କରି ଦେଖ ଥରେ
କପଟରେ ହରିବାକୁ ଆଜିର ସୀତାଙ୍କୁ !

ସାଧୁର ଆବରଣ ତଳେ ଲୁଚିଥିବା
ଲମ୍ପଟ, କୁଚକ୍ରୀ, ନପୁଂସକ ରାବଣକୁ,
ଆଜିର ସୀତା ବେଶ୍ ଚିହ୍ନିପାରେ ;
ତା’ ନଖରେ ରାମ୍ପି,ବିଦାରି
ଛଳନାର ମୁଖାଟିକୁ ନିଜେ ଖୋଲିପାରେ ,
ଲକ୍ଷ୍ମଣର ତିନି ରେଖା ନୁହେଁ
ନିଜର ସୁରକ୍ଷା ସେ ନିଜେ କରିପାରେ …
ଅହଂକାରର ସୁବର୍ଣ୍ଣଲଙ୍କା ପାଇଁ
ଲୋଡାନାହିଁ ଏବେ ମହାବୀରଙ୍କର
ଜାଳି ପୋଡ଼ି ଛାରଖାର ସେ ନିଜେ କରିପାରେ,

ତେଣୁ, ମୁଁ ଜଟାୟୁ
ସାବଧାନ କରେ ତତେ, ଆଜିର ରାବଣ!
ଡେରିନାହିଁ ଆଉ,
ଖୋଲିବାକୁ ତୋ’ର ମିଥ୍ୟା ଆବରଣ।

Comments are closed.