Latest Odisha News

ଗଳ୍ପ : ଚନ୍ଦ୍ରିକା ସିଂ

ସୁମିତା ବେହେରା

ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ ବିଛାଡ଼ିଦିଏ କୃତ୍ୟ କୃତ୍ୟ ହୋଇଯାଆନ୍ତି ଆମ ପୁରୁଷ ସହକର୍ମୀମାନେ । ସିଏ ମଧ୍ୟ ହସ ବାଣ୍ଟିବାରେ କେବେ କାର୍ପଣ୍ୟ କରିନାହିଁ। ଏମିତି କେଉଁ ପୁରୁଷ ଅଛି, ଯିଏ ତା’ ନୟନର କଟାକ୍ଷରୁ ବର୍ତ୍ତିଯାଇପାରିବ ? ହଁ, କେତେଜଣ ନିଜକୁ ସ୍ଥିତପ୍ରଜ୍ଞ ବୋଲି ଖୁବ୍ ଦେଖାନ୍ତି । କିନ୍ତୁ ତା’ ଡି.ପି ର ଛବିଟିକୁ ବାରମ୍ବାର ଜୁମ୍ କରି ଦେଖନ୍ତି। ତା’ର ଶୁଭ୍ର ସୁନ୍ଥା କେତେକଙ୍କ ମନରେ ଆଶାର କିରଣ ଵୁଣୁଥିଲା। ସିଏ ଯେ ଏବେ ପର୍ଯ୍ୟନ୍ତ କୁମାରୀ ଅଛି! ଆଶ୍ବସ୍ତ ହେଲେ କିଛି ।

ଯେତିକି ଯେତିକି ଦିନ ବିତୁଥିଲା, ଚନ୍ଦ୍ରିକାକୁ ନେଇ ଆଲୋଚନା ସରଗରମ ହେଉଥିଲା । ସେଦିନ ତ ବୋବାଲ୍ ହେଇଗଲା। ଚନ୍ଦ୍ରିକା ଆସିଥିଲା ଶାଢ଼ୀ ପିନ୍ଧି। ସବୁଜ ରଙ୍ଗର ଶାଢ଼ୀରେ ଯେମିତି ପରୀଟିଏ ଲାଗୁଥିଲା । କିଏ ଯେ ସେଦିନ କଣେଇ ନ ଚାହିଁଛି ତା’କୁ ! ଆଖିରେ ଆଖିରେ ହିଁ ତୃଷ୍ଣା ମେଣ୍ଟାଉଥିଲେ ଦଳେ। ପୁରୁଷଙ୍କଠାରୁ ନେଇ s gମହିଳା ସହକର୍ମୀ କେହି ବାଦ୍ ପଡ଼ି ନ ଥିଲେ ସେଦିନ।

ଅଫିସ୍ ରେ ଜଣକୁ ଛାଡ଼ିଦେଲେ ବାକି ସବୁ ପୁରୁଷ ଥିଲେ ବିବାହିତ । ସମସ୍ତେ ନିଶ୍ଚିତ ଥିଲେ ଯେ, ତା’ରି ମୁଣ୍ଡରେ ନିଶ୍ଚୟ ହାତୀ ସୁନା କଳସ ଢ଼ାଳିବ। ନିଜେ ବିବାହିତ ହେବାର ଅବସୋସ୍ କରୁଥିଲେ। ଆଉ କିଛିଦିନ ଅପେକ୍ଷା କରିଥିଲେ ହୁଏତ ଏଇ କନ୍ୟାରତ୍ନଟି ତାଙ୍କୁ ପ୍ରାପ୍ତ ହୋଇପାରିଥାନ୍ତା । ମାତ୍ର ସମସ୍ତଙ୍କର ଗଣନାକୁ ଭୁଲ ବୋଲି ପ୍ରମାଣିତ କରି ଚନ୍ଦ୍ରିକା କିନ୍ତୁ ସମସ୍ତଙ୍କ ସହିତ ଖୁବ୍ ଖୋଲା ଖୋଲି ଭାବରେ ମିଶୁଥିଲା । ନାରୀର ଷଷ୍ଠ ଇନ୍ଦ୍ରିୟଟି ଯେ ପୁରୁଷମାନଙ୍କଠାରୁ ଅଧିକ ତୀକ୍ଷ୍ଣ ! ଚନ୍ଦ୍ରିକା ସମସ୍ତଙ୍କ ମନ ବୁଝିପାରେ । ମନେ ମନେ ହସେ । ମାଙ୍କଡମାନେ ଯଦି ନାଚିବାକୁ ପ୍ରସ୍ତୁତ ମାଙ୍କଡ ନଚାଳି ସେ ସୁଯୋଗ ଅବା ଛାଡ଼ିବ କାହିଁକି ?

ନାଚି ନାଚି ମାଙ୍କଡ ଦଳ ହାଲିଆ ହେଇଗଲେ। କେତେ ଆଉ ନାଚିବେ? ଚନ୍ଦ୍ରିକା କାହାକୁ ଧରା ଦେବା ଝିଅ ତ ନଥିଲା । ନିଜର ପରଜୟକୁ ସ୍ବୀକାର କରିବା ପୁରୁଷର ଅହମ୍ କୁ ବଳି ଦେବା ସଙ୍ଗେ ସମାନ ଥିଲା । ଆରମ୍ଭ ହୋଇଗଲା ଚନ୍ଦ୍ରିକା ବିଷୟରେ କୁତ୍ସାରଟନା କରିବା । ସମସ୍ତଙ୍କ ସହିତ ଖୋଲା ଖୋଲି ଭାବରେ ମିଶୁଥିବା ଝିଅଟି ଯେ ଖରାପ ଚରିତ୍ରର ! ଅନେକଙ୍କର ମତ କିଛି ଏହିପରି ଥିଲା । କଳା ଧଳାକୁ ରଙ୍ଗୀନ କରି ତଥ୍ୟ ପରିବେଷଣ କରା ଯାଉଥିଲା । ନାନା ପ୍ରକାରର ଖଟ୍ଟା ମିଠା ବ୍ୟଞ୍ଜନ ସବୁଦିନ ପରଷା ଯାଉଥିଲା। ନ ମିଳିବା ଲୋକକୁ ଅଙ୍ଗୁର କୋଳି ଖଟ୍ଟା ପରା । ଯଦିଓ ସିଏ କେବେ କାହାକୁ କଥା ଦେଇ ନ ଥିଲା, ତଥାପି ଚନ୍ଦ୍ରିକାର ଆଚରଣରୁ ଅନେକଙ୍କୁ ଏମିତି ଲାଗୁଥିଲା, ଆଜି ନ ହେଲେ କାଲି ସିଏ ନିଶ୍ଚୟ ତାଙ୍କୁ ପ୍ରେମିକ ଭାବରେ ବରିନେବ ।

ଏକଥା ସତ ଚନ୍ଦ୍ରିକା ସମସ୍ତଙ୍କ ଅପେକ୍ଷା ମୋ ସହିତ ଟିକେ ଅଧିକ ଘନିଷ୍ଠ ଥିଲା । ପରୋକ୍ଷ ଭାବରେ ସେଥିପାଇଁ କମ୍ ଶୁଣିବାକୁ ପଡୁନ ଥିଲା ମୋତେ ! ଥରେ ସିଏ କହିଥିଲା, “ଜାଣିଛ ସୁବୋଧ ! ବିବାହିତ ପୁରୁଷଙ୍କ ଅପେକ୍ଷା ଅବିବାହିତଙ୍କ ନିକଟରେ ନାରୀ ଅଧିକ ସୁରକ୍ଷିତ । କିନ୍ତୁ କାହିଁକି କେଜାଣି ତମ ଉପରେ ମୋର ଅଗାଧ ବିଶ୍ୱାସ। ସେଥିପାଇଁ ସବୁକିଛି ଶେୟାର କରିଦିଏ ତମ ପାଖରେ” । ବେକାରରେ ସମସ୍ତଙ୍କର ଈର୍ଷାର ଶିକାର ହେଉଥିଲି ମୁଁ।

ଚନ୍ଦ୍ରିକା ମୋତେ ତା’ର ଗୋପନୀୟ କଥାସବୁ କହେ। କିଏ ତାକୁ ଅଧ ରାତିରେ ମେସେଜ୍ କଲା, କିଏ ଅଯାଚିତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିଲା, କିଏ ତାକୁ ନିଜ ଗାଡ଼ିରେ ଲିଫ୍ଟ ଦେବା ପାଇଁ ଅନୁରୋଧ କଲା.. ଏମିତି କି ସେମାନଙ୍କ ଚାଟ୍ ମଧ୍ୟ ମୋତେ ଦେଖାଏ । ମୁଁ ଆଶ୍ଚର୍ଯ୍ୟ ହୁଏ, ଏଇ ଦୁଇ ମୁଣ୍ଡିଆସାପ ମାନଙ୍କରେ ବ୍ୟବହାର ଦେଖି । ପଛରେ ତା’ ନାଁ’ରେ ନିନ୍ଦା ଚାଳିଶା ବୋଲୁଥିବା‌ ପୁରୁଷପୁଙ୍ଗବ ଏକାନ୍ତରେ କି ଦରଦଭରା ପ୍ରେମଗୀତ ଗାଇପାରନ୍ତି! ଘରେ ସ୍ତ୍ରୀ ସମ୍ମୁଖରେ ଚନ୍ଦ୍ରିକା ନାଁ ରେ ଯାବତୀୟ ନିନ୍ଦା କରିସାରିବା ପରେ ଅଧ ରାତିରେ ” ହାଏ.. କ’ଣ କରୁଛ ? ” ମେସେଜ୍ ଦିଅନ୍ତି।

ଚନ୍ଦ୍ରିକା ସବୁ ବୁଝେ, ସବୁ ଜାଣେ । ମୁଁ ବୁଝିପାରେନି ଏଇ ଝିଅଟିକୁ । ଏମିତି କାହିଁକି ସିଏ! ଯଦି ସମସ୍ତଙ୍କ ସ୍ଵଭାବ ବିଷୟରେ ଅବଗତ , ତଥାପି ସମସ୍ତଙ୍କ ସହିତ ଏତେ ଭଲରେ ମିଶେ କିପରି ? ଥରେ ତା’କୁ ଏ ବିଷୟରେ ପଚାରିଥିଲି ମଧ୍ୟ । ସିଏ କହିଲା,” ସବୁ ଜାଣି, ନ ଜାଣିଲା ପରି ଅଭିନୟ କରିବାକୁ ପଡ଼େ, ସୁବୋଧ ! ନ ହେଲେ ଏକୁଟିଆ ଝିଅ , ଏତେ ବଡ ସହରରେ ତିଷ୍ଠିବି କେମିତି? କାହାର ତ କ୍ଷତି କରୁନି ମୁଁ !”

ସାତ ଦିନ ହେବ ଅଫିସ୍ ଆସୁନି ଚନ୍ଦ୍ରିକା । ଛୁଟି ଦରଖାସ୍ତରେ ଲେଖିଛି, ବ୍ୟକ୍ତିଗତ କାରଣ ହେତୁ…!ପୁରୁଷ ସହକର୍ମୀ ମାନଙ୍କର ଉତ୍ସାହ ଆସୁନି କାମ କରିବା ପାଇଁ । କି ଯେ ଶୂନ୍ୟତା ଖେଳି ଯାଇଛି ଅଫିସ୍ ପରିସରରେ ! ସମସ୍ତେ ଜାଣନ୍ତି ସିଏ ମୋ ସହିତ ଟିକେ ଅଧିକ ଅନ୍ତରଙ୍ଗ । ଜଣ ଜଣ କରି ପଚାରି ସାରିଲେଣି ଚନ୍ଦ୍ରିକା ଅଫିସ୍ କାହିଁକି ଆସୁନି ! ମୁଁ ନିଜେ ଜାଣିଥିଲେ ସିନା କିଛି କହିବି! ତା’ ଫୋନ୍ ବନ୍ଦ । ମେସେଜ୍ ର ଉତ୍ତର ନାହିଁ ।

ନିନ୍ଦୁକ ଗୋଷ୍ଠୀ ଏଥର ତା’ ପ୍ରଶଂସାରେ ଶତମୁଖ। କେତେ ଭାଲ ସ୍ୱଭାବର ମେଳପି ଝିଅଟିଏ, ସମସ୍ତଙ୍କୁ ଆପଣାର କରି ରଖିଥିଲା , କୌଣସି ଦିନ ରାଗିବା କେହି ଦେଖିନାହାଁନ୍ତି, ସବୁବେଳେ ହସୁଥିବ.. ଏମିତି କେତେ କ’ଣ । ବିନା ସୂଚନାରେ କୁଆଡ଼େ ଚାଲିଗଲା ? ରଥ ବାବୁ ତ କହିଦେଲେ ସିଏ କୁଆଡ଼େ ଆମ ଅଫିସ୍ ର ପ୍ରାଣବିନ୍ଦୁ ଥିଲା । ମୁଁ ବିସ୍ମିତ ଏମାନଙ୍କର ଅଚାନକ ମତ ପରିବର୍ତ୍ତନରେ । ସେଇ ମୁହଁରେ ଉଷୁନା ସେଇ ମୁହଁରେ ଅରୁଆ।

ସପ୍ତାହେ ପରେ ଚନ୍ଦ୍ରିକା ଆସିଲା ସୁନ୍ଥାରେ ସୁନ୍ଥାଏ ସିନ୍ଦୂର ମାରି, ହାତରେ ହାତେ ନାଲି ଚୁଡ଼ି ପିନ୍ଧି, ଓଠରେ ବହଳ ନାଲି ଲିପଷ୍ଟିକ୍ ବୋଳି । ସମସ୍ତଙ୍କ ଆଖି ବଡ଼ ବଡ଼ ହୋଇଗଲା ତାକୁ ଦେଖି । ଲକ୍ଷେ ସାରଙ୍ଗି କାନ୍ଦିଉଠିଲା ଯେମିତି । ମିଛ କହିବିନି, ମୋତେ ବି ବହୁତ ଖରାପ ଲାଗିଥିଲା। ଏମିତି କେମିତି ସିଏ ବାହା ହେଇଯିବ ମୋତେ ନ ଜଣାଇ! ମୁଁ ମଧ୍ୟ ଆଶାୟୀ ଥିଲି କି ନା ! ଜୁମ୍ କରି ତା ‘ ଫୋଟ ମୁଁ ବି ଦେଖୁଥିଲି ।

ସ୍ବଭାବ ସୁଲଭ ମିଠା ହସଟିଏ ସମସ୍ତଙ୍କ ଉପରକୁ ଫିଙ୍ଗିଦେଇ କହିଲା, ” ସରି ଗାଏଜ୍ ! ଏତେ ଜଲ୍ଦିରେ ବାହାଘରଟା ହେଇଗଲା ଯେ, କାହାକୁ ଜଣେଇ ପାରିଲିନି । କ’ଣ ଆଉ କରିଥାନ୍ତି ଯେ, ଘରେ ରାଜି ହେଲେନି ବାହାଘର ପାଇଁ, ଅଗତ୍ୟା ଘରୁ ପଳେଇ ଯାଇ ବାହା ହେବାକୁ ପଡ଼ିଲା ।”

ଯେମିତି କିଛି ବି ହେଇନି, ସିଏ ଚାଲିଗଲା ତା’ କ୍ୟାବିନ୍ ଭିତରକୁ । ପ୍ରକୃତିସ୍ଥ ହେବାକୁ କିଛି ସମୟ ଲାଗିଲା ସମସ୍ତଙ୍କୁ । ଅନେକ ସମୟ ଧରି ଆଁ କରିଥିବା ପାଟି ଗୁଡ଼ିକ ଧୀରେ ବନ୍ଦ ହେବାକୁ ଲାଗିଲେ। ରଥ ବାବୁ କହିଲେ, ମୁଁ କହୁ ନ ଥିଲି, ଏଇ ଝିଅଟାର ଲକ୍ଷଣ କିଛି ଭଲ ନୁହେଁ ବୋଲି ! ଦେଖିଲେ ତ ସେଇଆ ହିଁ ହେଲା । ତାଙ୍କ ପଛକୁ ସମସ୍ତେ ଏକ ଏକ କରି ଚନ୍ଦ୍ରିକା ପାଇଁ ଯେତେକ ମନ୍ଦ ଟିପ୍ପଣୀ ଦେଇପାରିବେ ଦେଉଥିଲେ। ସତରେ, କି ବିଚିତ୍ର ନା ଆମର ଏଇ ମନୁଷ୍ୟ ଚରିତ୍ର !

Comments are closed.