Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ହ୍ୱାଟ, ସି.ବି ପଟ୍ଟନାୟକ ? ଆଇ ମିନ୍ ଚନ୍ଦ୍ରଭାନୁ ପଟ୍ଟନାୟକ?

ତଡ଼ିତ୍ ବେଗରେ ଏଇ କେତେ ପଦ ପଦ୍ମିନୀ ମୁହଁରୁ କେମିତି ବାହାରିପଡ଼ିଲା, ସେ ଜାଣି ପାରିଲା ନାହିଁ । ସଚେତନ ହେଲା ବେଳକୁ ସେ ଅନୁଭବ କଲା, ତା ମସ୍ତିଷ୍କର ଶିରା ପ୍ରଶିରା ଶତଧା ବିଦୀର୍ଣ୍ଣ ହୋଇ ଯାଉଛନ୍ତି ।

ପ୍ରକାଶ ମଧ୍ୟ ସାମାନ୍ୟ ବିଚଳିତ ହେଲା ।

ତମେ ତାଙ୍କୁ ଚିହ୍ନ ପଦ୍ମିନୀ?

ମୋର ଜଣେ ସାଙ୍ଗର ଭାଇଙ୍କ ନାଁ ସି.ବି ପଟ୍ଟନାୟକ ମାନେ ଚନ୍ଦ୍ରଭାନୁ ପଟ୍ଟନାୟକ । ଏଥିନେଇ ନାଁ ଟା ହଠାତ୍ ପାଟିକୁ ଆସିଗଲା ।

ଗୋଟିଏ ନିଃଶ୍ୱାସରେ ଏତକ କହିଲା ବେଳକୁ ତା’ର ମୁହଁ ସାରା ମଳିନ ପଡ଼ିଗଲା । ଅଫିସରେ ପାଦ ଦେବା ବେଳର ସରସତା ତା’ର ଆଉ ନ ଥିଲା ।

ଏ ଭିତରେ ଅନ୍ୟ ସହକର୍ମୀମାନେ ଆସିସାରିଥିଲେ । ପ୍ରକାଶ କିନ୍ତୁ ବାରି ପାରିଲା ନାହିଁ ପଦ୍ମିନୀ ମୁହଁର ମଳିନତାକୁ । ଚନ୍ଦ୍ରଭାନୁର ନାମ ଉଚ୍ଚାରଣ ମାତ୍ରେ ତା’ର ମସ୍ତିଷ୍କର ସ୍ମୃତି ଦ୍ରୁତ ବେଗରେପାଶ୍ଚତ୍‌ଧାବନ କରୁଥିଲେ ।

ସ୍ମୃତି ଇଲାକାର ଅପାଶୋରା ସରଣୀରେ ଦୌଡ଼ୁ ଦୌଡ଼ୁ ସେ ଯନ୍ତ୍ରବତ କହିଚାଲିଥିଲା- ତମେ ସିନା ତାଙ୍କୁ ଚିହ୍ନନି ପଦ୍ମିନୀ! ଚନ୍ଦ୍ରଭାନୁ କିନ୍ତୁ ମୋର ଖୁବ୍‌ ପରିଚିତ । ‘ବାଣୀ ବିହାର’ ରେ ସେ ମୋର ଜଷ୍ଟ ଉପର ବ୍ୟାଚର ଥିଲେ । ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ କାବ୍ୟର ମାନସ ନନ୍ଦନ ଚନ୍ଦ୍ରଭାନୁ ଭଳି ସେ ଖୁବ୍ ସୁନ୍ଦର ।

ସେ ସମୟର ୟୁନିଭରସିଟିରେ ସେ ଥିଲେ ସବୁଠୁ ସୁନ୍ଦର ଯୁବକ । ତାଙ୍କର ଅସାଧାରଣ ମେଧାଶକ୍ତି ପାଇଁ ସାର୍‌ମାନେ ବି ତାଙ୍କୁ ସମ୍ମାନ ଦେଉଥିଲେ । କହିବାକୁ ଗଲେ ସେ ଥିଲେ ଗୋଟାଏ ରତ୍ନ ।

ଉତ୍‌ଫୁଲ୍ଲିତ ପ୍ରକାଶ କହିଚାଲିଥିଲା ବାକ୍ୟ ପରେ ବାକ୍ୟ, ଅନେକ ବିଶେଷଣ ଯୁକ୍ତ । ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ ।

 

କ୍ରମଶଃ

Leave A Reply

Your email address will not be published.