କୁଞ୍ଜ ବିହାରୀ ସାହୁ
ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି ମନଦୁଃଖ କରେ । ପଚାରିଦିଏ – ‘ତୁ ଶୁଖିଯାଇଛୁ ଟଗରଗଛ । ତୋ ଡାଳରେ ଫୁଲ ଫୁଟୁନି । ଡାଳକୁ ଧରିଲେ ମୋ ହାତ ଦରଜ ହେଇଯାଉଛି ।’
ଟଗରଗଛ ନରମି କହେ- ‘ହଁ ଲତିକା, ଯୋଉଦିନଠୁ ଶୀତୁଆ ପବନ ମୋ ଦେହରେ ବାଜିଲା, ସେଇଦିନଠୁ ମୁଁ ଶୁଖିଲା ଦିଶୁଛି । ମୋ ଦେହରେ ଟିକେ ବି ଖରା ପଡୁନି । ସକାଳୁ ଏତେ କୁହୁଡ଼ି ହେଉଛି ଯେ ମୁଁ ଓଦା ହେଇ ଥରୁଛି । ମୋ ଶୁଖିଲା ପତ୍ରରୁ ଟୋପା ଟୋପା କାକର ଝରୁଛି । ବହୁତ କଷ୍ଟ ହେଉଛି । ଯିଏ ଆସୁଛି, ମୁହଁ ଆଡ଼େଇ ପଳେଇଯାଉଛନ୍ତି । ବୁଲି ବୁଲି ଗେଣ୍ଡୁଫୁଲ ତୋଳି ଆଣୁଛନ୍ତି । ନୋହିଲେ ଫୁଲ ଦୋକାନକୁ ଯାଇ ଗେଣ୍ଡୁଫୁଲ କିଣୁଛନ୍ତି । ମୁଁ ସତରେ ଏକୁଟିଆ ହୋଇଯାଉଛି ।’
ଲତିକା ଟଗରଗଛର କଥା ଶୁଣି କାନ୍ଦିପକାଏ । କେଡ଼େ ସୁନ୍ଦର ଗଛଟି । ଧଳା ରଙ୍ଗର ଫୁଲ ଫୁଟୁଥିଲା, ଅଥଚ ଏ ଶୀତ କୁହୁଡ଼ିରେ ଗୋଟେ ବି ଫୁଲ ଫୁଟୁନି । ତା ଦେହରେ ଖରା ପଡିଲେ ସିନା କଢଟି ଫୁଟିବ ।
ଟଗରଗଛକୁ ସାନ୍ତ୍ବନା ଦେଇ କହେ- ‘ତୁ ଏତେ ମନଦୁ୍ଃଖ କରନା । ମାଘ ମାସ ଯାଉ ଯାଉ ଫଗୁଣ ମାସ ଆସିବ । ସୁଲୁସୁଲିଆ ମଳୟ ବାଆ ବୋହିବ । ତୋ ଦେହରେ ବାଜିଲେ ତୁ ବହୁତ ଖୁସି ହୋଇଯିବୁ । ତୋ ଦେହର ଶୁଖିଲା ଡାଳପତ୍ର କଅଁଳି ଉଠିବ । ଛନଛନିଆ ଶାଗୁଆ ପତ୍ର ଦେଖିଲେ ମୁଁ ଖୁସି ହେଇଯିବି । ଡାଳରେ ଫୁଲ ଫୁଟିବ । ସକାଳୁ ସକାଳୁ ଲୋକମାନେ ତୋ ପାଖକୁ ଆସି ଫୁଲ ନେବେ । ଟିକେ ଅପେକ୍ଷା କରିଥା।’
ଲତିକା ମୁହଁରୁ ଏତକ ଶୁଣି ମନେ ମନେ ଖୁସି ହେଇଯାଏ ଟଗରଗଛ । ମନେ ମନେ କହିଦିଏ- ‘ଲତିକା ଛୋଟ ଝିଅଟିଏ ହେଲେ ବି ବୁଦ୍ଧିଆ । ଗଛକୁ ବେଶୀ ଭଲପାଏ ବୋଲି ମୋ ଦୁଃଖ ବୁଝିପାରୁଛି ।’
ସବୁଦିନ ସକାଳେ ଲତିକା ଟଗରଗଛ ପାଖକୁ ଯାଏ । ତା ଦେହକୁ ଆଉଁଷି ଦୁଃଖସୁଖ ହୁଏ ।
କିଛି ଦିନ ବିତିଗଲା । ମାଘୁଆ ଶୀତ ଫେରୁଫେରୁ ମାସଫଗୁଣ ମାସ ଆସିଲା । ସୁଲୁସୁଲିଆ ମଳୟ ପବନ ବୋହିଲା । ଆମ୍ବ ଗଛରେ ବଉଳ ଫୁଟିଲା । ଗଛପତ୍ର ଗହଳିଆ ଦିଶିଲା । ବାହାରେ ବୁଲିବାକୁ ଇଛାହେଲା ।
ଲତିକା ଆଗଭଳି ବାହାରିପଡ଼ିଲା ସକାଳୁ ସକାଳୁ । ଥଣ୍ଡା ନାହିଁ । ଛୋଟ ବଙ୍କୁଲି ବାଡ଼ିଟିଏ ଧରି ଟଗରଗଛ ପାଖକୁ ଗଲା । ଦେଖିଲା ଖିଲିଖିଲି ହସୁଛି ଟଗରଗଛ। ମଉଜରେ କହିଦେଲା – ‘ତୁ ଆସିଛୁ ଲତିକା, ଭଲ ହେଲା । ତୋ କଥା ହିଁ ଭାବୁଥିଲି । ଆଜି ତ ମାଘ ପୂନେଇଁ। ଦେଖୁନୁ …ଦେଖୁନୁ ମୋ ଡାଳରେ କେତେ ଫୁଲ ଫୁଟିଛି । ତୋଳିବାପାଇଁ ସକାଳୁ ସକାଳୁ ସାହି ଝିଏ ଆସି ତୋଳି ନେଲେଣି । ତୋ ପାଇଁ ସଜ ଫୁଲ ସଜେଇ ରଖିଛି । ମୁଁ ଟିକେ ନଇଁଗଲେ, ଫୁଲଗୁଡ଼ିକୁ ତୋଳିନେବୁ । ତୁ ଯାହା କହିଥିଲୁ ଆଜି ସତ ହେଇଛି । ଶୀତରେ ଥରୁଥିଲି ବୋଲି ମୋ ଡାଳରେ ଫୁଲ ଫୁଟୁନଥିଲା । ଏବେ ତ ବସନ୍ତ ଋତୁ ଆସିଯାଇଛି । ଡାଳରେ ଶାଗୁଆ ପତ୍ର କଅଁଳି ସୁନ୍ଦର ଦିଶୁଛି । ମୁଁ ମନ ଦୁଃଖ କରିଥିଲି । ଏବେ ତ ଖୁସିରେ ଅଛି ।’
ଲତିକା ମୁରୁକି ମୁରୁକି ହସିଲା । ଗେହ୍ଲେଇ କହିଲା – ଟଗରଗଛ, ତେସ ସହିବାପଣକୁ ମାନିବାକୁ ପଡ଼ିବ । ଏତେ ଦୁଃଖ ପାଇଲେ ବି ତୁ ହସି ହସି ସବୁ ସହିଯାଇଛୁ । ତୋ ମୂଳରେ ମୁଁ ନି ଇତି ପାଣି ଢାଳୁଥୁଲି । ତୋ ଶୁଖିଲା ଡାଳକୁ ଖରାବେଳେ ଆଉଁଷି ଦେଉଥିଲି । ଆଜି ତୁ ଖୁସି ହେଇଛୁ ତେଣୁ ତୋ ଖୁସିରେ ମୁଁ ଖୁସି । ମନେରଖିଥା, ପ୍ରକୃତିର ଏଇଟା ନିୟମ । ୠତୁ ବଦଳିଗଲେ ପ୍ରକୃତି ବି ଵଦଳିଯାଏ । ପରିବେଶ ବି ବଦଳିଯାଏ । ଦୁଃଖ ପରେ ସୁଖ ଆସେ ।
ଏମିତି ତୁ ସବୁବେଳେ ହସୁଥାରେ ଟଗରଗଛ । ମୁଁ ଆଜି ତୋ ଡାଳରୁ ଫୁଲ ତୋଳି ଘରକୁ ଯାଉଛି । କାଲି ସକାଳେ ତୋ ପାଖକୁ ଆସିଲେ ଆମେ ଦୁହେଁ ଗପିବା । ମଜାଳିଆ କଥା ହେବା ।
ଲତିକା ଫୁଲ ଧରି ଥିରିଥିରି ପାଦରେ ଘରକୁ ବାହୁଡ଼ିଲା । ଟଗରଗଛ ଏକଲୟରେ ଚାହୁଁଥିଲା ଲତିକାକୁ । ଭାବୁଥିଲା ଶୀତ ଋତୁ ଆଉ ବସନ୍ତ ଋତୁର କଥା । ଏଇ ଋତୁ ଯୋଗୁଁ ସବୁ ପରିବର୍ତ୍ତନ ହେଉଛି ।
ଏଲ୍.ଆଇ.ଜି. – ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର
Comments are closed.