Latest Odisha News

BREAKING NEWS

ଥମିବାର ନାଁ ଧରୁନି ମଣିପୁର ହିଂସା, ପୁଣି ୨ ସୁରକ୍ଷାକର୍ମୀଙ୍କୁ ମାରିଲେ କୁକି ଉଗ୍ରବାଦୀ

ଇମଫାଲ: ଥମିବାର ନାଁ ଧରୁନି ମଣିପୁର ହିଂସା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉଗ୍ରବାଦୀଙ୍କ ଆକ୍ରମଣ । ଏହାରିଭିତରେ ପୁଣି ଥରେ କୁକୀ ଉଗ୍ରବାଦୀମାନେ ସିଆରପିଏଫ୍‌ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଦୁଇ ଜଣ ସିଆରପିଏଫ୍ ଜବାନ ସହିଦ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୨ଟା ସମୟରେ ନାରାନସେନା ଅଞ୍ଚଳରେ ସିଆରପିଏଫ୍ କର୍ମଚାରୀଙ୍କ ଉପରେ କୁକି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ଜଣ ସିଆରପିଏଫ୍ କର୍ମଚାରୀ ପ୍ରାଣ ହରାଇଛନ୍ତି । ମୃତ ଦୁଇ ସିଆରପିଏଫ୍ କର୍ମଚାରୀ ହେଉଛନ୍ତି ମଣିପୁର ବିଷ୍ଣୁପୁର ଜିଲ୍ଲାର ନାରାନସେନା ଅଞ୍ଚଳରେ ନିୟୋଜିତ ସିଆରପିଏଫ୍ ର ୧୨୮ ତମ ବାଟାଲିୟନର । ଏନେଇ ସୂଚନା ଦେଇଛି ମଣିପୁର ପୋଲିସ ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଗତ ୧୯ ଏପ୍ରିଲରେ ମତଦାନ ସମୟରେ ମଧ୍ୟ ଏହି ଅଞ୍ଚଳରେ ହିଂସା ଦେଖାଦେଇଥିଲା । ଏଥିସହ ଗତକାଲି ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟ କିଛି ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ରାଜ୍ୟର କୁକି ସଂଗଠନ ଲୋକସଭା ନିର୍ବାଚନକୁ ବୟକଟ କରିଥିଲେ ଏବଂ ନ୍ୟାୟ ନାହିଁ ତ ଭୋଟ୍ ନାହିଁର ନାରା ଲଗାଇଥିଲେ ।

କହିରଖୁଛୁ ଯେ, ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟଙ୍କ ମଧ୍ୟରେ ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହା ସହିତ ଅନେକ ଲୋକ ମଧ୍ୟ ବାସହୀନ ହୋଇଛନ୍ତି । ଗତବର୍ଷ ମେ ମାସରୁ ହିଂସା ଆରମ୍ଭ ହେବା ପରଠାରୁ ଲଗାତାର ଭାବେ ଗୁଳି ବିନିମୟ ଓ ହିଂସା ଘଟଣା ସାମ୍ନାକୁ ଆସୁଛି।

Leave A Reply

Your email address will not be published.