Latest Odisha News

BREAKING NEWS

ଶ୍ରାବଣ ସୋମବାରରେ ଅଘଟଣ: ଜଳ ଲାଗି ପାଇଁ ଯିବାବେଳେ ମାଡିଗଲା କାର୍, ଦୁଇ ମୃତ ,୧୩ ଆହତ

ଆସିକା: ଆଜି ଶ୍ରାବଣ ମାସ ସୋମବାରରେ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡ଼ିଆଙ୍କ ଉପରେ କାର ମାଡିଯାଇଛି  । ଫଳରେ ଦୁଇ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି  ।

ଆହତ ଓ ମୃତକମାନେ ବୁଗୁଡ଼ା ବ୍ଳକ ଅରଖପୁର ଗାଁର ବୋଲି ଜଣାପଡିଛି  ।  ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ମୃତକ ଅନିତା ସ୍ବାଇଁ ଓ ମୁକୁନା ବେହେରା ବୋଲି ଜଣାପଡିଛି  । ଘଟଣାସ୍ଥଳରେ ଅନିତାଙ୍କର ମୃତ୍ୟୁ ଘଟିଥିବାବେଳେ ମୁକୁନା ବେହେରାଙ୍କର ବ୍ରହ୍ମପୁର ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି  ।

ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି। ଏଥିରେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ଗତକାଲି ଆସିକା ଋଷିକୂଲ୍ୟା ନଦୀରୁ ପାଣି ନେଇ ବୁଗୁଡ଼ା ବ୍ଳକ ଅରଖପୁର ଗାଁର କାଉଡ଼ିଆନେ ଅରଖପୁର ସ୍ଥିତ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ ଭେଟନଈ ନିକଟରେ ଏକ କାର୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଏଭଳି ଅଘଟଣ ଘଟିଥିଲା ।

Leave A Reply

Your email address will not be published.