Latest Odisha News

କବରସ୍ଥାନରେ ଭୟଙ୍କର ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ ଆହତ ହୋଇଛନ୍ତି । ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି । ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ ଥିବା ସାହେବ ଅଲ ଜମାନ ମସଜିଦରେ ଲୋକମାନେ ଏକାଠି ହୋଇଥିଲେ । ଏହି ସମୟରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଅତି କମରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଆହୁରି ୧୭୦ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା । ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ । ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ ।

Leave A Reply

Your email address will not be published.