Latest Odisha News

BREAKING NEWS

ଜୀବିକା ମିଶନର ଅସଲମୁଖା ଖୋଲିଲେ ମହିଳା ;  ୧୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତି ହେଉଛି 

କଟକ ;  ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗରେ ହେଉଥିବା ଦୁର୍ନୀତି ଏବେ ସାମ୍ନାକୁ ଆସିଛି। । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବାରମ୍ବାର ମିଶନଶକ୍ତି ଦ୍ୱାରା ପ୍ରତାରିତ ହେବାପରେ  ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

 

କଟକରେ ଆୟୋଜିତ ଏକ ସାମ୍ଵାଦିକ ସମ୍ମିଳନୀରେ ଜୀବିକା ମିଶନ ନାଁରେ ଅଭିଯୋଗ ଆଣି ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ କହିଛନ୍ତି, ମିଶନ ଶକ୍ତି ବିଭାଗ ଦ୍ୱାରା ଉନ୍ନତ ଗାଈଚାଷ ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ବିକାଶକୁ ଲକ୍ଷ୍ୟ ରଖି ୧୦ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମହିଳାଙ୍କ କହିବା ଅନୁସାରେ ଗାଇଡଲାଇନ ଅନୁସାରେ ପ୍ରତି କ୍ଳଷ୍ଟରେ ୩୦ ଜଣ ମହିଳାଙ୍କୁ ଅର୍ନ୍ତଭୁକ୍ତ କରି ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୩୦ ହଜାର ଟଙ୍କାର ଗାଈ ଦିଆଯିବା କଥା। ଏପରିକି ଗାଈ ଗୁଡ଼ିକ ଉନ୍ନତମାନର ଗାଈ ହେବା ସହିତ ପ୍ରତିଟି ଗାଈର ସର୍ବନିମ୍ନ ଦୁଇଟି ବାଛୁରୀ ଥିବା ସହ ୮-୧୦ ଲିଟର କ୍ଷୀର ଦେଉଥିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ଅଛି । କିନ୍ତୁ ଜୀବିକା ମିଶନ ଗାଈ ଦେଲାବେଳେ ଏସବୁ ମାନଦଣ୍ଡକୁ ଅଣଦେଖା କରିଛି। 

 

ସେମାନଙ୍କ କହିବା ଅନୁସାରେ ଦିଆଯାଇଥିବା ଗାଈ ମଧ୍ୟ ଦିନକୁ ୧ ଲିଟର କ୍ଷୀର ବି ଦେଉନାହନ୍ତି ଏବଂ ସେମାନଙ୍କର ବାଛୁରି ମଧ୍ୟ ନାହିଁ । ତେଣୁ ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ମହିଳାମାନେ ଆଜି ଲୋକାୟୁକ୍ତଙ୍କ ଦ୍ଵାରସ୍ଥ ହୋଇ ଜଳେଶ୍ୱର ବ୍ଲକର ବିଡିଓ, ପ୍ରୋଜେକ୍ଟ ମ୍ୟାନେଜର ଓ ଜିଲ୍ଲାପାଳଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

 

ମିଶନଶକ୍ତି ମାଧ୍ୟମରେ ମହିଳା ଗ୍ରୁପକୁ ଋଣ ଦେବବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କର ସୁଧ ଛାଡ଼ କରାଯିବ । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ମହିଳା ଗ୍ରୁପ ନେଇଥିବା ଋଣର ସୁଧ ଛାଡ଼ କରାଯାଇନାହିଁ । ମହିଳାଗ୍ରୁପ ଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପରିବର୍ତ୍ତେ ସେମାନଙ୍କୁ ମହାଜନୀ କାରବାରର ଏଜେଂଟ ଭାବରେ ନିୟୋଜିତ କରାଯାଉଛି ବୋଲି କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଅଭିଯୋଗ ଆଣିଛନ୍ତି। 

 

ପିସିସିର ବରିଷ୍ଠ ପ୍ରବକ୍ତା ଶ୍ରୀ ରଜନୀ କୁମାର ମହାନ୍ତି ଓଡ଼ିଶାର ୭୦ ଲକ୍ଷ ମହିଳା ଆତ୍ମ ନିର୍ଭରଶୀଳ ହେବା ଏକ ସରକାରୀ ପ୍ରବଂଚନା ବୋଲି କହିବା ସହିତ ମାତ୍ର ୬ ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ବାକି ୬୪ ଲକ୍ଷ ମହିଳା ଋଣ ନେଇ କ’ଣ ଉତ୍ପାଦନ କରୁଛନ୍ତି ବା କେଉଁ କାମ କରୁଛନ୍ତି ତାହା ରାଜ୍ୟ ସରକାରଙ୍କ ମିଶନଶକ୍ତି ନିର୍ଦ୍ଦେଶାଳୟ ଓ ୫ଟି ଅଧ୍ୟକ୍ଷଙ୍କ ପାଖରେ ଏ ତଥ୍ୟ ନାହିଁ । ପ୍ରକୃତରେ ରାଜ୍ୟରେ ମିଶନଶକ୍ତିର ସାମିଲ ହୋଇଥିବା ମହିଳାଙ୍କର ଦୈନିକ ୧୭ ଟଙ୍କା ୬୪ ପଇସା ଅଟେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ। 

Leave A Reply

Your email address will not be published.