ସମ୍ବଲପୁର:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ । ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା ।ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଉପର ମୁଣ୍ଡରେ ଛତିଶଗଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗକୁ ହୀରାକୁଦକୁ ଅଧିକ ବନ୍ୟା ଜଳ ପ୍ରବେଶ କରିବ । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗେଟ ଖୋଲିବାକୁ ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି । ତେବେ ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି ।
ଆଜି ହୀରାକୁଦରେ ୨୦ଟି ଗେଟ ପର୍ଯ୍ୟାୟ କ୍ରମରେ ଖୋଲିଛି । ବାମ ପାର୍ଶ୍ୱରେ ୧୩ ଟି ଡାହାଣ ପାର୍ଶ୍ଵରେ ୭ଟି ସ୍ଲୁଇସ୍ ଗେଟ ଖୋଲା ଯାଇଛି । ହୀରାକୁଦ ଡ୍ୟାମରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୯.୪୭ ଫୁଟ ରହିଛି ।
ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩,୬୬,୦୪୫ କ୍ୟୁସେକ ବନ୍ୟା ଜଳ ଉପର ମୁଣ୍ଡରୁ ପ୍ରବେଶ କରୁଥିବା ବେଳେ ୨୦ ଟି ଗେଟ ଜରିଆରେ ସେକେଣ୍ଡ ପ୍ରତି ୩,୨୭,୫୪୦ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି । ସେହିପରି ହୀରାକୁଦରେ ତଳ ମୁଣ୍ଡର ବେଲଗାଁ ଠାରେ ୧,୮୫,୪୦୦ କ୍ୟୁସେକ, ପଥରଲା ଠାରେ ୩,୦୦,୪୧୮ କ୍ୟୁସେକ, ଖଇରମାଲ ଠାରେ ୩,୯୫,୦୦୦ କ୍ୟୁସେକ, ବରମୁଲରେ ୨,୧୯,୨୫୦ କ୍ୟୁସେକ, ମୁଣ୍ଡୁଲିରେ ୩,୦୦,୫୧୬ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି ।
ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି । ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରୁଛି ଏବଂ କେତେ ଜଳ ନିଷ୍କାସନ ହେଉଛି, ତାହାକୁ ଦୃଷ୍ଟିରେ ରଖି ଗେଟ୍ ପରିଚାଳନା କରାଯାଉଛି । ଏବେ ୨୦ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବ । ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ ।

