Latest Odisha News

BREAKING NEWS

୨୦୨୨ କ୍ରୀଡା: ମହାନ ଖେଳାଳିଙ୍କୁ ମହା ଦାୟିତ୍ୱ ଆଉ ମେସି, ନୀରଜ ରଚିଲେ ଇତିହାସ

ଚଳିତ ବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ବିଶ୍ୱକପ ଫୁଟବଲରେ ଆର୍ଜେଂଟିନା ଚାମ୍ପିୟନ ହେବା ଓ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ମେସିମୟ ଆର୍ଜେଂଟିନା: ୩୬ ବର୍ଷ ପରେ ଆର୍ଜେଂଟିନା ଫିଫା ବିଶ୍ୱକପ ଟ୍ରଫି ହାତେଇବାରେ ସଫଳ ହୋଇଛି । ଏହାର ସମସ୍ତ ଶ୍ରେୟ ମହାନ ଖେଳାଳି ଲିଓନେଲ ମେସିଙ୍କୁ ଯିବ । ରୋମାଂଚକ ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ହରାଇ ଆର୍ଜେଂଟିନା ଏହି ସଫଳ ହାସଲ କରିଥିଲା । ଫ୍ରାନ୍ସର କିଲିୟାନ ମୋବାପ୍ପା ଗୋଲ୍ଡେନ ବୁଟ ପାଇଥିଲେ । କ୍ରୋଏସିଆ ତୃତୀୟ ସ୍ଥାନରେ ରହିଥିଲା ।
କମାଲ କଲେ ନୀରଜ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଭାରତକୁ ପୁନର୍ବାର ଗୌରବାନ୍ୱିତ କରିଛନ୍ତି । ସେ ଆମେରିକାରେ ଅନୁଷ୍ଠିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ୨୦୦୩ରେ ଅଞ୍ଜୁ ବବି ଜର୍ଜ ମହିଳା ଲଙ୍ଗଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ଭାରତ ଆଇସିସି ଯୁବ ବିଶ୍ୱକପ: ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଆଇସିସି ଯୁବ ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଥିଲା । ଫାଇନାଲରେ ଟିମ ଇଣ୍ଡିଆ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା ।
ପ୍ରଥମ ଥର ମହାନଙ୍କୁ ମହା ଦାୟିତ୍ୱ: ୨୦୨୨ରେ ଭାରତୀୟ କ୍ରୀଡାର କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପୂର୍ବତନ ମହାନ ଖେଳାଳିଙ୍କୁ ପ୍ରଦାନ କରାଯାଇଛି । ହକିି ଇଣ୍ଡିଆର ମୂଖ୍ୟ ଦାୟିତ୍ୱ ଓଡିଶାର ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ଏଆଇଏଫଏଫ ସଭାପତି ଭାବେ ପୂର୍ବତନ ଅଧିନାୟକ କଲ୍ୟାଣ ଚୌବେ ଓ ପାୟୋଲୀ ଏକ୍ସପ୍ରେସ ପିଟି ଉଷା ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ହୋଇଛନ୍ତି । ସେହିପରି ବିସିସିଆଇ ମଙ୍ଗ ସୌରଭ ଗାଙ୍ଗୁଲିଙ୍କ ପରେ ରୋଜର ବିନ୍ନୀଙ୍କୁୁ ପ୍ରଦାନ କରାଯାଇଛି ।


ଇଂଲଣ୍ଡ ଟି୨୦ ଚାମ୍ପିୟନ: ଚଳିତ ବର୍ଷ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ଇଂଲଣ୍ଡ ଚାମ୍ପିୟନ ହୋଇଛି । ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଏହି ଟ୍ରଫି ଜିତିଛି । ଭାରତ ସେମିଫାଇନାଲରେ ଇଂଲଣ୍ଡଠାରୁ ହାରି ବିଦା ନେଇଥିଲା ।
ଗୁଜରାଟ ଟାଇଟନ୍ସ ଆଇପିଏଲର ନୂଆ ଚାମ୍ପିୟନ: ଚଳିତ ବର୍ଷ ଆଇପିଏଲରେ ପ୍ରଥମ ଥର ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜୁନ କରିଛି । ଯୁବ ଅଲରାଉଣ୍ଡ

ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଏବଂ ଅଧିନାୟକ ଦକ୍ଷତା ବଳରେ ଦଳ ଟାଇଟଲ ହାସଲ କରିଥିଲା ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା: ମହାନ ଟେନିସ ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡେରର ଓ ଅଷ୍ଟ୍ରେଲିଆର ଆସଲେ ବାର୍ଟି ଅବସର ଘୋଷଣା କରିଛନ୍ତି । ଭାରତର ଦୁଇ ମହାନ ମହିଳା କ୍ରିକେଟର ମିଥାଲୀ ରାଜ ଓ ଝୁଲଣ ଗୋସ୍ୱାମୀ କ୍ରିକେଟକୁ ଅଲବିଦା କହିଛନ୍ତି । ସେହିପରି ସ୍ପେନର ରାଫେଲ ନାଡାଲ ଫ୍ରେଂଚ ଓପନ ଜିତି ତାଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ୨୨ରେ ପଂହଚାଇଛନ୍ତି । ଭାରତ ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ସଫଳତାର ସହ ଆୟୋଜନ କରିଥିଲା । ଭାରତ ସମସ୍ତ ମ୍ୟାଚ ହାରି ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଓଡିଶାର କଳିଙ୍ଗ ଷ୍ଟାଡିୟମ, ଗୋଆର ନଭି ମୁମ୍ବାଇରେ ଏହି ପ୍ରତିଯୋଗିତାର ଆୟୋଜନ ସୁଚାରୁରୂପେ ହୋଇଥିଲା । ଥୋମାସ କପ ବ୍ୟାଡମିଂଟନରେ ଭାରତ ପ୍ରଥମ ଥର ପାଇଁ ଟାଇଟଲ ଜିତି ଇତିହାସ ରଚିଛି । ଭାରତ ୧୪ ଥରର ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ରହିଥିଲା । ମହିଳା ପ୍ରୋ ଲିଗ ହକିରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । ଓଡିଶାର ମହାନ ଆଥଲେଟ ତଥା ହର୍ଡଲ୍ସ କୁଇନ ଅନୁରାଧା ବିଶ୍ୱାଳଙ୍କ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଆନ୍ଧ୍ର ଝିଅ ଜ୍ୟୋତି ୟାରାଜୀ । ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଥିଲା ଚେସ ଅଲିମ୍ପିଆଡ । ଭାରତ ଓପନ ଓ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲା । ଓପନରେ ଉଜବେକିସ୍ତାନ ଓ ମହିଳାରେ ୟୁକ୍ରେନ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

Leave A Reply

Your email address will not be published.