ମୁକ୍ତେଶ୍ୱର ଉତ୍ସବର ୨ୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ବିଭୋର ଦର୍ଶକ
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ ।
ଆଜି ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ପଲ୍ଲବୀ ଦାସ ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା-ଶିବମ ଧୀ ମୋହୀ ପରେ ପରେ ବେଣୁଧର ଦାସଙ୍କ ରଚନାରେ ଅଭିନୟ କୃଷ୍ଣାନୁରାଗୀ ଯାହା ରାଗ ଝିନଝୋଟି ଓ ତାଳ ଖେମଟା ଉପରେ ପରିବେଶିତ ହୋଇଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।
ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ସୁରଜ ସାହୁ ଓ ମୋନଜ ପ୍ରଧାନ ପ୍ରଥମେ ପରିବେଶଣ କରିଥିଲେ ତାଳ ଏକତାଳୀରେ ନିବଦ୍ଧ ଚକ୍ରବାକ ପଲ୍ଲବୀ ପରେ ପରେ ପରିବେଶିତ ହୋଇଥିଲା ଅର୍ଦ୍ଧନାରୀଶ୍ୱର ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର । ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ ଫାଉଣ୍ଡେସନ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ।
ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳୀ ଉପରେ ପର୍ଯ୍ୟବେସିତ ମଙ୍ଗଳାଚରଣ – ଓମ ନମଃ ଶିବାୟ ପରେ ପରେ ପରିବେଶିତ ହୋଇଥିଲା ଗତୀବିଳାଶ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଆଦିଗୁରୁ ପଙ୍ଗଜ ଚରଣ ଦାସ ।
ସନ୍ଧ୍ୟାର ଅତିଥୀମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟେମକେଶ ତ୍ରିପାଠ. ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ।
କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶୀତୁଆ ସନ୍ଧ୍ୟା ସ୍ୱତ୍ୱେ ଦ୍ୱିତୀୟ ଦିବସରେ ଭରପୁର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
Comments are closed.