Latest Odisha News

BREAKING NEWS

ପୁରା ଜୀବନ ଏକାକୀ ବିତାଇଥିଲେ ଲତା, କାହିଁକି କରିନଥିଲେ ବିବାହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ସ୍ଵର କୋକିଳା ଲତା ମଙ୍ଗେଶକର ହୁଏତ ଆଜି ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କର ସେହି ମନଛୁଆଁ ଗୀତ ପାଇଁ ସେ ଆଜି ବି କୋଟି କୋଟି ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ | ୬ ଫେବୃଆରୀ ୨୦୨୨ ରେ, ଲତା ଦିଦି ଏହି ଦୁନିଆ ଛାଡି ସବୁଦିନ ପାଇଁ ବିଦାୟ ନେଇଥିଲେ | କୋଭିଡ କାରଣରୁ ତାଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ । ତେବେ ଆଜି, ତାଙ୍କ ମୃତ୍ୟୁ ବାର୍ଷିକୀରେ, ଆମେ ଆପଣଙ୍କୁ ତାଙ୍କ ସହ ଜଡିତ ଏପରି ଏକ କଥା କହିବାକୁ ଯାଉଛୁ, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି |

ସ୍ଵର କୋକିଳା ଲତା ମଙ୍ଗେଶକର ସାରା ଜୀବନ କୁଆଁରୀ ରହିଥିଲେ | ବାସ୍ତବରେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତା ପଣ୍ଡିତ ଦିନାନାଥ ମଙ୍ଗେଶକରଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସେ ତାଙ୍କ ଘରର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ | ଏହି କାରଣରୁ ସେ ସାରା ଜୀବନ ବିବାହ କରିନଥିଲେ । ଲତାଙ୍କ ଭଉଣୀ ମୀନାତାଇ ମଙ୍ଗେଶକରଙ୍କ କହିବା ଅନୁସାରେ, ସେ ଆମ ମାନଙ୍କୁ ଛାଡି ଯିବାକୁ ଚାହୁଁନଥିଲେ । ତେଣୁ ସେ ବିବାହ କରିନଥିଲେ | କହିରଖୁଛୁ ଯେ, ଲତା ମଙ୍ଗେଶକରଙ୍କର ପାଞ୍ଚ ଭାଇ ଓ ଭଉଣୀ ଅଛନ୍ତି । ମୀନା ଖଣ୍ଡିକର, ଆଶା ଭୋଁସଲେ, ଉଷା ମଙ୍ଗେଶକର ଏବଂ ହ୍ରୁଦୟନାଥ ମଙ୍ଗେଶକର । ଏ ସମସ୍ତେ ଲତାଙ୍କଠାରୁ ସାନ ଥିଲେ। ଲତା ତାଙ୍କ ପରିବାରର ବଡ ଝିଅ ଥିଲେ ।

ଲତା ପିଲାଟିଦିନରୁ ସଙ୍ଗୀତ ପ୍ରତି ବହୁତ ଆଗ୍ରହୀ ଥିଲେ। ସେ ମାତ୍ର ୫ ବର୍ଷ ବୟସରେ ଗୀତ ଶିଖିବା ଆରମ୍ଭ କରିଥିଲେ। ୯ ବର୍ଷ ବୟସରେ ସେ ତାଙ୍କର ପ୍ରଥମେ ଷ୍ଟେଜ୍ ରେ ଗୀତ ପରିବେଷଣ କରିଥିଲେ । ଲତା ତାଙ୍କ ପିତାଙ୍କଠାରୁ ଗୀତ ପ୍ରଶିକ୍ଷଣ ନେଇଥିଲେ। ତାଙ୍କ ପିତା ଜଣେ ଉତ୍କୃଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଥିଏଟର ଅଭିନେତା ଥିଲେ | ଭାରତର ‘ସ୍ୱର କୋକିଳା’ ଲତା ମଙ୍ଗେଶକର କେବଳ ଭାରତୀୟ ଭାଷାରେ ନୁହେଁ ବରଂ ଅନେକ ବିଦେଶୀ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ସେ ୨୦ ଟି ଭାଷାରେ ୩୦,୦୦୦ ଗୀତ ଗାଇଛନ୍ତି । ଏଥିପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି |

ଲତା ମଙ୍ଗେଶକରଙ୍କର ମଧ୍ୟ ଏକ ଇଚ୍ଛା ଥିଲା ଯାହା ସେ ଜୀବିତ ଥିବାବେଳେ ପୂରଣ କରିବାକୁ ଚାହୁଁଥିଲେ | କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା । ତେବେ ତାଙ୍କ ମୃତ୍ୟୁ ପରେ ଲତା ଦିଦିଙ୍କ ପରିବାର ତାଙ୍କର ଶେଷ ଇଚ୍ଛା ପୂରଣ କରିଥିଲେ। ବାସ୍ତବରେ ଲତା ବାଲାଜୀଙ୍କ ଜଣେ ମହାନ ଭକ୍ତ ଥିଲେ ଏବଂ ସେ ତିରୁମାଲା ତିରୁପତି ଦେବସ୍ଥାନକୁ ୧୦ ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଥିଲେ। ଲତା ମଙ୍ଗେଶକରଙ୍କ ଏହି ଶେଷ ଇଚ୍ଛା ତାଙ୍କ ମୃତ୍ୟୁର ୬୧୧ ଦିନ ପରେ ପୂରଣ ହୋଇଥିଲା ।

 

Leave A Reply

Your email address will not be published.