Latest Odisha News

BREAKING NEWS

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ ମଧ୍ୟ ଆଜିବି ଦେଶବାସୀଙ୍କ ମନରେ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟ ତାଜା ହୋଇ ରହିଛି।

ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ ଗାଡି । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନଭିନ୍ ହୋଇସାରିଥିଲା ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।

ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ୪୦ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।

ତେବେ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସହିଦ ଯବାନଙ୍କ ମଧ୍ୟରୁ ଅଧିକାଂଶଙ୍କ  ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା।

ଅଧିକାରୀଙ୍କ ସୂଚନା ମୁତାବକ, ବିସ୍ଫୋରଣ ପରେ ମୃତଦେହଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଥିଲା କି ସେମାନଙ୍କର ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା । ସେମାନଙ୍କ ପକେଟରୁ ମିଳିଥିବା କାଗଜପତ୍ର ଏବଂ ଅନ୍ୟାନ୍ୟ ଜିନିଷରୁ ହିଁ ଚିହ୍ନଟ କରିବା ସମ୍ଭବ ହୋଇଥିଲା । କିଛି ସହିଦଙ୍କର ସାଥୀ ସହକର୍ମୀଙ୍କ ହାତ ଘଣ୍ଟା ଏବଂ ୱାଲେଟରୁ ତାଙ୍କର ଚିହ୍ନଟ କରିଥିଲେ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା ।  ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୂରା ଦେଶ ।

ଇତି ମଧ୍ୟରେ ଏହି ଛାତିଥରା ଘଟଣାକୁ ୨ ବର୍ଷ ବିତିଯାଇଛି, ହେଲେ ଆକ୍ରମଣ ଯେଉଁ କ୍ଷତ ସୃଷ୍ଟି କରିଛି ତାହା ଭରି ନାହିଁ। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି  ଜନ୍ମମାଟି । ଦେଶ ପାଇଁ  ପ୍ରାଣବଳି ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି।

Leave A Reply

Your email address will not be published.