Latest Odisha News

BREAKING NEWS

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ‘ଦେବ ଦୀପାବଳି’ ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି।

ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି। ଆଜି ଅର୍ଥାତ ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ।

ତେବେ ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି।

ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି। ଏଥିସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ। ତେଣୁ ଏହାକୁ ‘ଦେବ ଦୀପାବଳି’ କୁହାଯାଏ।

ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ହାତ ,ଶ୍ରୀବଳଭଦ୍ର ୧୪ହାତ ଓ ଦେବୀ ଶୁଭଦ୍ରା ୧୨ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି।

ଶ୍ରାଦ୍ଧ ବେଶରେ ଠାକୁର ମାନେ ତଡଗୀ, ନଳୀଭୂଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳୀ, ଆଡକାନି, ହରିଡା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ନ ଅଳଙ୍କାର ରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

 

 

Leave A Reply

Your email address will not be published.