Latest Odisha News

BREAKING NEWS

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଭାଇରସ, ୧୦ ଆକ୍ରାନ୍ତ

ଥିରୁଅନନ୍ତପୁରମ୍: କେରଳରେ ବ୍ୟାପିବାରେ ଲାଗିଛି ୱେଷ୍ଟ ନାଇଲ ଭାଇରସ । ଏଯାବତ୍ କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ ସଂକ୍ରମଣର ୧୦ଟି ମାମଲା ସାମ୍ନାକୁ ଆସିଛି । ଏପରିକି ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ମୃତ୍ୟୁ ଓ୍ବେଷ୍ଟ ନାଇଲ୍‌ ଭୂତାଣୁ ସଂକ୍ରମଣରୁ ହୋଇଛି କି ନାହିଁ, ଏନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ।

ଏ ନେଇ ଖବର ମିଳିବା ପରେ କେରଳ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ସଂକ୍ରମଣକୁ କାବୁ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଶା ନିୟନ୍ତ୍ରଣ ଏବଂ ସେମାନଙ୍କ ବଂଶବୃଦ୍ଧି ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୌସୁମୀ ପୂର୍ବରୁ ସଂକ୍ରମଣ ବଢ଼ୁଥିବାରୁ ସମ୍ପୃକ୍ତ ରାଜ୍ୟରେ କେତେକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ଲୋକଙ୍କ ମଧ୍ୟରେ ଉକ୍ତ ରୋଗକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମଶାବଂଶ ବୃଦ୍ଧି ରୋକିବାକୁ ପରିବେଶ ଓ ନାଳ ନର୍ଦ୍ଦମା ଆଦି ସଫା କରାଯିବା ସହ ବିଭିନ୍ନ ସ୍ଥାନରୁ ମଶାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ସୂଚନାନୁଯାୟୀ, ଏହି ଓ୍ବେଷ୍ଟ ନାଇଲ ଭାଇରସ୍ ଏକ ସଂକ୍ରମକ ରୋଗ, ଯାହାକି ମଶା ଦ୍ବାରା ବ୍ୟାପିଥାଏ। ଏହି ରୋଗ ଏକ ସଂକ୍ରମିତ କ୍ୟୁଲେକ୍ସ ମଶା (culex mosquito) କାମୁଡିବା ଦ୍ବାରା ପକ୍ଷୀ ଓ ମଣିଷଙ୍କ ଭିତରେ ବ୍ୟାପିଥାଏ। ଏହା ମଣିଷ ଭିତରେ ଘାତକ ସ୍ନାୟୁ ସମ୍ପର୍କିତ ରୋଗ ସୃଷ୍ଟି କରିପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ଏହି ଭାଇରସର ପ୍ରାୟ ୨୦% ମାମଲା ଓ୍ବେଷ୍ଟ ନାଇଡ୍ ଫିଭର କାରଣ ହୋଇଥାଏ। ଏହି ଭାଇରସ୍ ଡେଙ୍ଗୁ, ଜିକା ଭଳି ହୋଇଥାଏ। ଏଥିରେ ପୀଡିତ ହେଲେ ମୁଣ୍ଡବିନ୍ଧି, ଜ୍ବର, ତ୍ବଚା ଲାଲ ପଡିଯିବା, ଶରୀର ଦରଜ ଓ ଲସିକା ଗ୍ରନ୍ଥି ଫୁଲି ଯାଇଥାଏ।

Leave A Reply

Your email address will not be published.