ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି।
ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଅକ୍ଷୟଶକ୍ତି, ଇସ୍ପାତ ଓ ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମ୍ୟାନୁଫାକଚରିଂ, ଟେକ୍ସଟାଇଲ ଓ ଆପେରାଲ, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ ଓ ସିମେଣ୍ଟ କ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଅର୍ଥନୀତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ସଙ୍ଗେସଙ୍ଗେ ଏକ ସୁଦୃଢ଼ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।