ପୁରୀ: ପୁରୀ ବଡ଼ଦାଣ୍ଡରେ ଆଜି ଏକ ବଡ଼ ବସ୍ଫୋରଣ ଘଟିଛି । ବଡ଼ଦାଣ୍ଡ ନିକଟରେ ଥିବା ଟିପି ହୋଟେଲ୍ରେ ଶୁକ୍ରବାର ଅପରାହ୍ନରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ହୋଟେଲ ଭିତରେ ଥିବା ଗ୍ୟାସ ଟାଙ୍କି ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଏହି ବିସ୍ଫୋରଣ ଫଳରେ ଏକ ରେଷ୍ଟୁରାଣ୍ଟର ସିଲିଂ ଭୁଶୁଡ଼ି ପଡ଼ିଛି । ଏହାଦ୍ୱାରା ୪ ଜଣ ଲୋକ ଆହତ ହୋଇଛନ୍ତି । ସବୁଠାରୁ ଅଧିକ ଗୁରୁତର ହୋଇଛନ୍ତି ରେଷ୍ଟୁରାଣ୍ଟରେ କାମ କରୁଥିବା ସୁରକ୍ଷା କର୍ମୀ ।
ପୁରୀ ଏସପି ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ହିଁ ଜଣାପଡିବ ।
ପୋଲିସର କହିବା ମୁତାବକ ବିସ୍ଫୋରଣ ପଛରେ ଗ୍ୟାସ ଟାଙ୍କି ଫାଟିବା ଘଟଣାକୁ ଗୁରୁତ୍ୱ ଦେଇଛି । ଏହାସହ ରେଷ୍ଟୁରାଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଯାଂଚ ହେବ ବୋଲି କୁହାଯାଇଛି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଟିପି ହୋଟେଲ୍ର ଭିତରେ ହଠାତ ଭୟାବହ ଶବ୍ଦ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା କି ହୋଟେଲ କୋଠରୀର କାଚ, ପ୍ଲାଏ ଓ ସିମେଣ୍ଟ ଇତ୍ୟାଦି ହୋଟେଲରୁ ୧୦୦ ଫୁଟ ପର୍ଯ୍ୟନ୍ତ ବଡଦାଣ୍ଡକୁ ଖଣ୍ଡ ଖଣ୍ଡ ହୋଇ ଛିଟିକି ଆସିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି।
