Latest Odisha News

BREAKING NEWS

ବର୍ଷକରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪,୭୩୮ ଜଣ

ଭୁବନେଶ୍ବର : ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ସଡ଼କ ସୁରକ୍ଷା ପରିଷଦ ବୈଠକରେ ମତପ୍ରକାଶ କରିଛନ୍ତି ।

ଓଡ଼ିଶାରେ ୨୦୨୦ ମସିହାରେ ମୋଟରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ, ପ୍ରାୟ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୧୯ ମସିହା ତୁଳନାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ପ୍ରାୟ ୧୧% ହ୍ରାସ ପାଇଛି ଓ ଏହାର ମୁଖ୍ୟ କାରଣ ହେଲା କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହେବା କାରଣରୁ ମୃତ୍ୟୁ ହାର ହ୍ରାସ ପାଇଛି । ଆମ ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁ ବରଣ କରୁଥିବା ବେଳେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି ।

ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ମୃତ୍ୟୁ ବରଣ କରୁଥିବା ମନ୍ତ୍ରୀ କହିଛନ୍ତି ।

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସେ୍ୱଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ ଫାର୍ଷ୍ଟ ରେସ୍‌ପଣ୍ଡର ଟ୍ରେନିଂ ଦିଆଯାଇଛି । ଯାନଚାଳକମାନଙ୍କ ପାଇଁ ରିଫ୍ରେସ୍‌ର ଟ୍ରେନିଂ କରାଯାଉଛି । ବ୍ଲାକ୍‌ ସ୍ପଟ୍‌ ଗୁଡ଼ିକୁ ସେଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ
କରାଯାଉଛି ।

Leave A Reply

Your email address will not be published.