Latest Odisha News

BREAKING NEWS

କୁକୁର ବନ୍ଧ୍ୟାକରଣ କେନ୍ଦ୍ର ପ୍ରହସନ

ଭବାନୀପାଟଣା: କାର୍ଯ୍ୟରେ ଲାଗୁନି କୁକୁର ବନ୍ଧ୍ୟାକରଣ କେନ୍ଦ୍ର । କାର୍ଯ୍ୟକ୍ଷମ କରିବାକୁ କାହାର ଆନ୍ତରିକତା ନାହିଁ । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୁକୁର ବନ୍ଧ୍ୟାକରଣ କେନ୍ଦ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରେ । ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଭବାନୀପାଟଣାରେ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ପାଇଁ ସରକାର ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଆନିମଲ୍ ବାର୍ଥ କଣ୍ଟ୍ରୋଲ ଯୋଜନାରେ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ଏହା ନିର୍ମିତ କରିଛନ୍ତି । ହେଲେ ଏହି କେନ୍ଦ୍ରଟିରେ ତାଲାଟିଏ ନାହିଁ । କାନ୍ଥରେ ବଡ଼ବଡ଼ ଗଛର ଚେର ମାଡ଼ିଗଲାଣି । ରାତି ହେଲେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡା ଜମୁଛି । ଏଭଳି ଅବସ୍ଥା ବର୍ଷ ବର୍ଷ ଧରି ଚାଲିଲାଣି । ହେଲେ ପ୍ରଶାସନ ସବୁ ଜାଣି ଚୁପ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

୨୦୦୮ ମସିହାରୁ ରାଜ୍ୟରେ କାର୍ଯ୍ୟ କରୁଛି ଆନିମଲ୍ ବାର୍ଥ କଣ୍ଟ୍ରୋଲ । କୁକୁର ବନ୍ଧ୍ୟାକରଣ ପାଇଁ ଭବାନୀପାଟଣାରେ ଏହି ଗୃହ ନିର୍ମାଣ କରାଯାଇଥିଲା । ଏଥିପାଇଁ ପ୍ରଥମେ ୧୦ ଲକ୍ଷ ୩୨ ହଜାର ଏବଂ ପରେ ୩୯ ଲକ୍ଷ ଟଙ୍କା ସରକାର ଅଟକଳ କରିଥିଲେ । ଅପରେସନ ଥିଏଟର ସହ ବହୁ ଯନ୍ତ୍ରପାତି କିଣା ହୋଇଥିଲା । ୨୦୧୩ରେ ରାଜ୍ୟର ବିଭିନ୍ନ ପୌରପାଳିକା ଅଞ୍ଚଳରେ ଏହା ଆରମ୍ଭ କରାଯାଇଥିଲା ।

ହେଲେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବିସି ଯୋଜନାରେ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆଜି ଯାଏଁ ଗୋଟିଏବି କୁକୁର ବନ୍ଧ୍ୟାକରଣ କରାଯାଇ ପାରିନାହିଁ । ଏହି କେନ୍ଦ୍ରରେ ଏକକାଳୀନ ୨୦ଟି କୁକୁରକୁ ବନ୍ଧ୍ୟାକରଣ ପରେ ତାହାର ସୁରକ୍ଷା ପାଇଁ ୨୦ଟି ଚ୍ୟାମ୍ବର ତିଆରି ହୋଇଥିଲା । ମାତ୍ର ୫ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନାହିଁ ।

ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପ୍ରତ୍ୟେକ ଦିନ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି । କେଉଁଠି କୁକୁର ଲୋକଙ୍କୁ କାମୁଡ଼ୁଛି ତ କେଉଁଠି କୁକୁର ଗାଡ଼ି ଆଗକୁ ପଶି ଆସୁଛି । ଯେଉଁଥିରେ ଗାଡ଼ି ଚାଳକମାନେ ପଡ଼ି ଆହତ ହେଉଛନ୍ତି । ରାସ୍ତା ମଝିରେ କୁକୁରଙ୍କ ପ୍ରତି ଆକ୍ରମଣ କାରଣରୁ ମଧ୍ୟ ବହୁ ଦୁର୍ଘଟଣା ଘଟୁଛି । ତଥାପି ଏବିସି ଯୋଜନା ଏବଂ କୁକୁର ବନ୍ଧ୍ୟାକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା. ଚୈତନ୍ୟ ଚରଣ ସେଠୀଙ୍କୁ ପଚାରିବାରୁ ଉକ୍ତ ଗୃହ ନିର୍ମାଣ ପୌରପାଳିକା ଦ୍ୱାରା କରାଯାଇଥିବା ସେ କହିଛନ୍ତି । ଜିଲ୍ଲାରେ ଏବିସି ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ । ବର୍ତ୍ତମାନ ସରକାର ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ନୂଆ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । ତାହା ହେଲେ କଳାହାଣ୍ଡିରେ ମଧ୍ୟ କୁକୁର ବନ୍ଧ୍ୟାକରଣ ହୋଇପାରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.