ଅଗଷ୍ଟ ୪- ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ଓଡ଼ିଆ ଗଣମାଧ୍ୟମ : ଯାତ୍ରାର କିଛି ରାସ୍ତା

????????????????????????????????????

ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୬ ବର୍ଷ ପୂର୍ତ୍ତି ପାଳନ କରୁଛି । କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୫ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ । ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି । ଅଗଷ୍ଟ ୪, ୧୮୬୬ରେ ପ୍ରଥମ ଓଡ଼ିଆ ଖବରକାଗଜ ଜନ୍ମ ନେଇଥିଲା । ‘ଉତ୍କଳ ଦୀପିକା’ର ପ୍ରକାଶନ ଆରମ୍ଭ ହୋଇଥିଲା ।

ଯୋଉ ବର୍ଷ ନଅଙ୍କ ଦୁର୍ଭିକ୍ଷ, ଭୋକ, ଆତୁରତାର ପରିଧିରେ ସାରା ଓଡ଼ିଶା ଆଉଟୁପାଉଟୁ ହୋଇଥିଲା ଏବଂ ହଜାର ହଜାର ଲୋକ ପ୍ରାଣ ହରାଇ ଥିଲେ, ସେଇ ବିଭୀଷିକାର ବର୍ଷରେ ‘ଉତ୍କଳ ଦୀପିକା’ର ଜନ୍ମ । କର୍ମବୀର ଗୌରୀ ଶଙ୍କର ରାୟ ଏବଂ ରେଭେନ୍ସାଙ୍କ ସିରସ୍ତାଦାର ଥିବା ବିଚିତ୍ରାନନ୍ଦ ଦାସଙ୍କ ଅକ୍ଳାନ୍ତ ଉଦ୍ୟମର ଫଳ ଥିଲା ସେଇ ଖବରକାଗଜ । ‘ଉତ୍କଳ ଦୀପିକା’ର ପ୍ରକାଶନରୁ ହିଁ ପ୍ରକୃତ ଅର୍ଥରେ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ସାମ୍ବାଦିକତାର ରୋମାଂଚକର ଯାତ୍ରା ।

ହିକି ‘ବେଙ୍ଗଲ୍ ଗେଜେଟ୍‌’ ପ୍ରକାଶ କରିଥିଲେ ଜାନୁଆରୀ ୨୯, ୧୭୮୦ ମସିହାରେ । ସେଇ ଦିନଟିକୁ ଆମେ ‘ଭାରତୀୟ ଖବରକାଗଜ ଦିବସ’ ବୋଲି ପାଳନ କରୁ । ସାରା ଭାରତରେ ଏହା ପାଳନ କରାଯାଏ । ସେମିତି ଅଲଗା ଭାଷାରେ ବି ନିଜସ୍ୱ ଖବରକାଗଜ ଦିବସ ବା ସାମ୍ବାଦିକତା ଦିବସ ରହିଛି । ପ୍ରତିବର୍ଷ ମଇ ମାସ ୩୦ ତାରିଖକୁ ‘ହିନ୍ଦୀ ପତ୍ରକାରିତା ଦିବସ’ ଭାବେ ପାଳନ କରାଯାଏ । ୧୮୨୬ ମସିହା ମଇ ୩୦ ତାରିଖରେ ପ୍ରଥମ ହିନ୍ଦୀ ଖବରକାଗଜ ‘ଉଦଣ୍ଡ ମାର୍ତ୍ତଣ୍ଡ’ ପ୍ରକାଶନ ଆରମ୍ଭ ହୋଇଥିଲା । ସେହିପରି ୬ ଜାନୁଆରୀ, ୧୯୩୨ ମସିହାରେ ପ୍ରଥମ ମରାଠୀ ଖବରକାଗଜ ‘ଦର୍ପଣ’ ପ୍ରକାଶ ପାଇଥିଲା । ସେହିଦିନଟି ମରାଠୀ ସାମ୍ବାଦିକତା ଦିବସ ଭାବେ ପାଳିତ ହୁଏ । କୋଙ୍କଣୀ ସାମ୍ବାଦିକତା ଦିବସ ପାଳନ କରାଯାଏ ଫେବୃାରୀ ମାସ ୨ ତାରିଖରେ । ଆମେ ବି ଆଗୁଆ ଯାତ୍ରା ଆରମ୍ଭ କରିଥିଲେ ବି ଇତିହାସର ସେଇ ପହିଲି ଦିନଟିକୁ ପାସୋରି ଦେଇଛୁ ।

‘ଉତ୍କଳ ଦୀପିକା’ ନଅଙ୍କ ଦୁର୍ଭିକ୍ଷର ପ୍ରକୃତ ଚିତ୍ର ଇଂରେଜ ସରକାରଙ୍କ ସାମ୍ନାକୁ ଆଣିଥିଲା । ଏହାର ପ୍ରକାଶନ ସହିତ ଜଡ଼ିତ ଲୋକମାନେ ଇଂରେଜ ପ୍ରଶାସନରେ ଚାକିରି କରୁଥିଲେ ମଧ୍ୟ ସେମାନେ ସରକାରୀ ନୀତିର ସମାଲୋଚନା କରିବାକୁ ଜମାରୁ ପଛେଇ ନ ଥିଲେ । ବରଂ ଭାଷାଭାଷୀ ଅଂଚଳର ଏକତ୍ରୀକରଣ, ଲୋକଙ୍କ ସ୍ୱାର୍ଥ ଆଦିକୁ ଏହା ସବୁଦିନେ ପ୍ରାଧାନ୍ୟ ଦେଇ ଆସିଥିଲା । ୧୯୩୬ ଯାଏ ଦୀର୍ଘ ୭୨ ବର୍ଷ ଏହା ଧାରାବାହିକ ଭାବେ ପ୍ରକାଶିତ ହୋଇ ଆସିଥିଲା । ପ୍ରକୃତ ଅର୍ଥରେ ଓଡ଼ିଆ ଜାତିର ଇତିହାସରେ ପ୍ରାଣ ଭରିଦେବାରେ ସର୍ବାଧିକ ସହାୟକ ହୋଇଥିଲା ‘ଉତ୍କଳ ଦୀପିକା’ ।
ତା’ପରକୁ ପର ଅନେକ ପ୍ରକାଶନୀ ଆସିଛି । ପ୍ରଥମ ଦୈନିକ ଖବରକାଗଜ ଭାବେ ‘ଦୈନିକ ଆଶା’ ପ୍ରକାଶିତ ହୋଇଛି ୧୯୨୮ ଅପ୍ରେଲ ୧୩ରେ ।

କିନ୍ତୁ ଖବରକାଗଜ ହିସାବରେ ସାଧାରଣ ମଣିଷଙ୍କ କଥା କହିବାରେ ‘ଉତ୍କଳ ଦୀପିକା’ ଯେଉଁ ଆଦର୍ଶ ଛାଡ଼ି ଯାଇଥିଲା, ତାହା ପରବର୍ତୀ ସମସ୍ତ ପ୍ରକାଶନୀ ପାଇଁ ଗୋଟେ ମାନଦଣ୍ଡ ଭାବେ ଉଭା ହୋଇଥିଲା । ପରବର୍ତୀ ପ୍ରକାଶନୀ ଗୁଡ଼ିକ ସେ ଦିଗରେ ପ୍ରଗାଢ ଉଦ୍ୟମ ବି କରିଥିଲେ ।

ତେବେ ଏଇ ୧୫୫ ବର୍ଷର ସାମ୍ବାଦିକତାର ଯାତ୍ରା ଭିତରେ ଆମେ ପାଇଛୁ କଣ ଆଉ ହଜେଇଛୁ କଣ ତାହା ହିଁ ଆଲୋଚନା ହେବା ଦରକାର । ପ୍ରଥମ ପ୍ରସ୍ତାବଟି ନିଶ୍ଚିତ ଭାବେ ଏଇଆ ରହିବ ଯେ, ଏଣିକି ଅଗଷ୍ଟ ୪ ତାରିଖ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଭାବେ ପାଳନ ହେଉ । ତାହା ଆମକୁ ଆମ ଇତିହାସ ଏବଂ କେଉଁ ଲକ୍ଷ୍ୟ ନେଇ ଖବରକାଗଜ ଆରମ୍ଭ ହୋଇଥିଲା, ସେ ସଂପର୍କରେ ସବୁଦିନେ ସୂଚେଇ ଦେଉଥିବ । ୨୦୧୩ ମସିହାଠାରୁ ଭାରତୀୟ ଜନସଂଚାର ସଂସ୍ଥାନ ଏହି ଦିବସକୁ ନିୟମିତ ଭାବେ ପାଳନ କରି ଆସୁଛି । ପ୍ରଥମ ଥର ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ଏହା ପାଳନ କରିବା ଆରମ୍ଭ କରିଥିଲା ।

ଓଡ଼ିଆ ଖବରକାଗଜ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଭାଷା ସୁରକ୍ଷା ଦିଗରେ ସର୍ବାଧିକ ସହାୟକ ହୋଇଥିଲା । ପୁଣି ସମାନ୍ତରାଳ ଭାବେ ଏହା ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ ଜଣାଇ ଥିଲା । ଭାଷା ଭିତ୍ତିରେ ସାରା ଦେଶରେ ଆମେ ପ୍ରଥମ ରାଜ୍ୟର ମାନ୍ୟତା ପାଉ । ଏହା ପଛରେ ଓଡ଼ିଆ ଖବରକାଗଜ ସଂସାରର ଭୂମିକା ବେଶ ପ୍ରଶଂସନୀୟ । ପୁଣି ସ୍ୱାଧୀନତା ଆସିବା ପରେ ସାରା ଦେଶରେ ଖବରକାଗଜ ଗୁଡ଼ିକ ଗଠନାତ୍ମକ ଚିନ୍ତା ନେଇ ଆଗେଇ ଥିଲେ । ଓଡ଼ିଶାରେ ବି ସେ ଧାରା ଦେଖିବାକୁ ମିଳିଥିଲା ।

ସଂଖ୍ୟାରେ ଅଧିକ ନ ଥିଲେ ବି ଓଡ଼ିଆ ସମ୍ବାଦ ପତ୍ରପତ୍ରିକା ସାମାଜିକ ସ୍ତରରେ ସେମାନଙ୍କ ପ୍ରଭାବ ଦର୍ଶାଇ ପାରିଥିଲେ । ୧୯୫୩ ବେଳକୁ ଓଡ଼ିଶାରେ ଖବରକାଗଜ ଓ ପତ୍ରପତ୍ରିକା ସଂଖ୍ୟା ମିଶିମାଶି ଥିଲା ୫୬ । ୧୯୬୪ ବେଳକୁ ଏଇ ସଂଖ୍ୟା ୭୦ ଛୁଇଁଲା । ଯାହା ଭିତରେ ୩୮ଟି ମାସିକ ପତ୍ରିକା ଥିଲା । ୧୯୭୭ ଶେଷ ସୁଦ୍ଧା ଖବରକାଗଜ ସଂଖ୍ୟା ଥିଲା ୫୨ । ଛଅଟି ଇଂରାଜୀ ଓ ଗୋଟେ ହିନ୍ଦୀ ପ୍ରକାଶନୀକୁ ମିଶେଇ । ପରେ ପ୍ରସାରଣ ସଂଖ୍ୟା ବି ସେଇ ଅନୁପାତରେ ବଢିଲା । ୧୯୬୧ ଶେଷ ସୁଦ୍ଧା ସମସ୍ତ ପ୍ରକାଶନର ପ୍ରସାରଣ ସଂଖ୍ୟା ଥିଲା ୬୦,୦୦୦ । ଅର୍ଥାତ୍ ପ୍ରତି ଗାଁ ପିଛା ଗୋଟେ ଖବରକାଗଜ । ୨୦୦୧ ବେଳକୁ ଓଡ଼ିଶାରେ ପ୍ରତି ହଜାରେ ଲୋକଙ୍କ ପାଇଁ ଖବରକାଗଜ ସଂଖ୍ୟା ଥିଲା ୩୮ ।

କିନ୍ତୁ ପରକୁ ପର କ୍ରମଶଃ ଓଡ଼ିଆ ଖବରକାଗଜ ବା ଗଣମାଧ୍ୟମ କ୍ରମଶଃ ଟିକେ ବାଆଁରେଇ ହୋଇଗଲା । ପରସ୍ୱର ବିରୋଧୀ ଚିତ୍ରଟେ ସାମ୍ନାକୁ ଆସିଲା । ପ୍ରକାଶନ, ପ୍ରସାରଣ ବଢିଲା । ଟିଭି ଚ୍ୟାନେଲ୍ ଆସିଲା । ନୂଆ ବୈଷୟିକ ବିଦ୍ୟା ଆସିଲା । କ୍ରମବର୍ଦ୍ଧିଷ୍ଣୁ ସାକ୍ଷରତା ହାର ଓ ନୂଆ ପରିପାଟୀରେ ଖବରକାଗଜ ପାଠକକଙ୍କୁ ନୂତନତାର ସ୍ୱାଦ ଦେଲା । ହେଲେ ତାଆରି ଭିତରେ ପୁଣି ରାଜନେତା, ଖଣି ମାଲିକ, ମାଫିଆ, ବିଲ୍‌ଡର୍ ଆଦି ଗଣମାଧ୍ୟମ ଭିତରକୁ ପଶିଗଲେ । ନିଜେ ନିଜେ ଖବରକାଗଜ କି ଟିଭି ଚ୍ୟାନେଲ୍ ଖୋଲି ତା’କୁ ନିଜ ସୁରକ୍ଷାର ଢାଲ କଲେ । ଲଫାଫା ସାମ୍ବାଦିକତା (ଏନ୍‌ଭଲପ୍ ଜର୍ଣ୍ଣାଲିଜମ୍‌) ଓ ପେଡ଼୍ ନିଉଜ୍ ବଢିଲା । ସାମ୍ବାଦିକତା କ୍ଷେତ୍ରରେ ଦୁର୍ନୀତି ଓ ବ୍ଲାକମେଲିଂ ଆସ୍ଥାନ ଜମେଇ ବସି ଯାଇଛି ।

ଏ ସବୁ ଭିତରେ ସାମ୍ବାଦିକତାର ଧାରାରେ କିନ୍ତୁ ବେଶ ପରିବର୍ତନ ଲକ୍ଷ୍ୟ କରାଯାଇଛି । ଗଣମାଧ୍ୟମଗୁଡ଼ିକ କ୍ରମଶଃ ଏବେ ଲୋକାଭିମୂଖୀ ହେବାକୁ ଚେଷ୍ଟା ଚଳାଇଛନ୍ତି । ବିଷୟରେ ବିବିଧତା ଆସିଛି । ପରିପାଟୀ ଉପରେ ଗୁରୁତ୍ୱ ବଢିଛି । ଗଣମାଧ୍ୟମରେ ସାଧାରଣ ଲୋକଙ୍କ ଭାଷାର ବ୍ୟବହାର ହେଉଛି । ଗଣମାଧ୍ୟମ କ୍ରମଶଃ ଆଂଚଳିକ ବଜାର କାରବାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୁଣି ଅନେକ ଜାତୀୟ ଖବରକାଗଜ ଓ ଟିଭି ଚ୍ୟାନେଲ୍ ଓଡ଼ିଶାରେ ନିଜର ସଂସ୍କରଣ କିମ୍ବା ଆଂଚଳିକ ଚ୍ୟାନେଲ୍ ବି ଖୋଲିଲେଣି ।

ଆଉ ଏ ସବୁ ଭିତରେ ଆମେ ଯଦି ଭବିଷ୍ୟତ ଉପରେ ନଜର ପକେଇବା ଦେଖେଇବା ଚିତ୍ରଟି ମୋଟାମୋଟି ଭାବେ ବେଶି ପାଉଁଶିଆ ନୁହେଁ । କାରଣ- ବଜାରକୁ ଲକ୍ଷ୍ୟ କରି ଓ ପାଠକଙ୍କୁ ଲକ୍ଷ୍ୟ କରି ଏଣିକି ଗଣମାଧ୍ୟମ ଆହୁରି ଆଂଚଳିକୀକରଣ ନୀତିକୁ ଆପଣାଇବେ । ୱେବ୍ ସାଇଟ୍‌, ଇ-ପେପର୍ ବଢିବ । ଗଣମାଧ୍ୟମ ଏକା ସାଙ୍ଗରେ ବହୁ ମାଧ୍ୟମ ଯେମିତି ଗୋଟେିଏ ଖବରକାଗଜ ନିଜର ନିଉଜ୍ ଚ୍ୟାନେଲ୍‌, ରେଡ଼ିଓ ଓ ମୋବାଇଲ୍ ନିଉଜ୍ ବ୍ୟବସ୍ଥାକୁ ଆପଣାଇବେ । ପୁଣି ଗଣମାଧ୍ୟମର ସମଷ୍ଟିକରଣ ହେତୁ ସାମ୍ବାଦିକର କାମ ବଢିବ । ମୋଟ ଉପରେ କ୍ରମଶଃ ତାଲିମପ୍ରାପ୍ତ ଓ ପ୍ରଶିକ୍ଷିତ ହାତକୁ ସାମ୍ବାଦିକତା ଯିବ । ଆଉ ଯଦି ସେଥିରୁ କଳାକୁ ଧଳା କରୁଥିବା ଗୋଷ୍ଠୀ ଅଲଗା ହୁଅନ୍ତି, ତେବେ ଚିତ୍ର ଆହୁରି ରଂଗୀନ ହେବ ।

ସହକାରୀ ପ୍ରଫେସର, ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ ମୋ-୯୪୩୭୦୮୦୦୪୮