Latest Odisha News

BREAKING NEWS

ବାହାଘରରେ କୋଭିଡ଼ ନିୟମ ଉଲ୍ଲଘଂନ ପ୍ରସଙ୍ଗ: ବର ସମେତ ୫ ଗିରଫ

ବ୍ରହ୍ମପୁର: ଏକ ବାହାଘର ପ୍ରୋସେସନର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଏହି ଘଟଣାରେ ବର ସମେତ ୫ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।

ବିବାହର ବ୍ୟବସ୍ଥା ପାଇଁ ସାମାଜିକ ଦୂରତାକୁ ଉଲ୍ଲଂଘନ କରି ହୋଟେଲ ମେଫେୟାର ଗୋପାଳପୁର ୭ ଦିନ ପାଇଁ ସିଲ୍ କରାଯାଇଛି | “ଆମେ ଏହି ପ୍ରକାରର ଉଲ୍ଲଂଘନକୁ ବରଦାସ୍ତ କରିବୁ ନାହିଁ | ଆମେ ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରୁଛୁ ସାମାଜିକ ଦୂରତା ନୀତି ଅନୁସରଣ କରନ୍ତୁ ଏବଂ କରୋନା ପରିସ୍ଥିତିରେ ଆପଣଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ”, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରିଛନ୍ତି।

ଅଧିକ ପଢନ୍ତୁ: ବାହାଘରରେ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା: ଦୁଇ ପକ୍ଷ ନାଁରେ ମାମଲା ରୁଜୁ

ଏହି ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସୂଚନାନୁଯାୟୀ, ଏହି ଘଟଣା ନେଇ ଗୋପାଳପୁର ଥାନାରେ ବ୍ରହ୍ମପୁର ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ସହରର ଜଣେ ୫ ଷ୍ଟାର୍ ହୋଟେଲର ମାଲିକଙ୍କ ପୁଅର ବାହାଘର ଅନୁ୍‌ଷ୍ଠିତ ହେଉଥିଲା । ମାତ୍ର ଏହି ବିବାହ ଉତ୍ସବରେ ନା ସାମାଜିକ ଦୂରତା ରକ୍ଷା କରାଯାଇଥିଲା ନା କୌଣସି କୋଭିଡ଼ ନିୟମ ପାଳନ କରାଯାଇଥିଲା । ଭାଇରାଲ୍ ହୋଇଥିବା ଭିଡ଼ିଓଟିରେ ନିଜେ ବର ବିନା ମାସ୍କରେ ନାଚୁଥିବା ବେଳେ ସାମାଜିକ ଦୂରତା ରକ୍ଷା ନକରି ପ୍ରୋସେସନରେ ଥିବା ଅନେକ ଲୋକ ନିୟମ ଉଲ୍ଲଘଂନ କରି ନୃତ୍ୟ କରୁଥିବା ଭିଡ଼ିଓଟିରେ ଦେଖାଯାଇଛି ।

ଏହି ଘଟଣାରେ ବର ଦୀପକ ସାହୁଙ୍କ ସହିତ କୃଷ୍ଣଚନ୍ଦ୍ର ସାହୁ, ଶିବରାମ ସାହୁ, ବିନୋଦ ସାହୁ ଏବଂ ସନ୍ତୋଷ ସାହୁ ଗିରଫ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଇତିମଧ୍ୟରେ ଗଞ୍ଜାମ ଆରଟିଓ ଏହି ବିବାହ ଉତ୍ସବରେ ବ୍ୟବହୃତ ହୋଇଥିବା କାର୍ ସମେତ ୫୦,୦୦୦ ଟଙ୍କା ଜୋରିମାନା କରାଯାଇଛି । ଉଭୟ ପକ୍ଷ ବିରୋଧରେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି ଏସପି ।

ଅଧିକ ପଢନ୍ତୁ: ପିନ୍ଧିଲେନି ମାସ୍କ, କୋଭିଡ୍ କଟକଣାକୁ ନ’ମାନି ନିର୍ଧୂମ୍‌ ନାଚିଲେ ବର !

ଏଠାରେ ସୂଚନାଯୋଗ୍ୟ, ଗତକାଲି ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରଯାତ୍ରୀଙ୍କ ସମେତ ବର ନାଚୁଥିବା ବେଳେ ମୁହଁରେ କେହି ମାସ୍କ ପିନ୍ଧିନଥିଲେ । ଏପରିକି କୌଣସି କୋଭିଡ଼ ନିୟମ ପାଳନ କରାଯାଇ ନଥିବା ସମ୍ପର୍କରେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଥିଲା ।

ବାହାଘର ଉତ୍ସବରେ ରାସ୍ତାରେ ଡିଜେ ଲଗାଇ ନାଚ କରୁଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ଛାନଭିନ୍ନ କରାଯାଇ ବର ଓ କନ୍ୟା ଉଭୟ ପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.