Latest Odisha News

BREAKING NEWS

କାର୍ଟୁନ କହୁଛି ରଥଯାତ୍ରା କାହାଣୀ, ଫଟୋ ଭାଇରାଲ

ଭୁବନେଶ୍ୱର: କଥା କହୁଛି ଶ୍ରୀଜିଉଙ୍କ କାର୍ଟୁନ ଫଟୋ । ଫଟୋରେ ରହିଛି ୯ଦିନର ନବଦିନାତ୍ମକ ଯାତ୍ରା କାହାଣୀ । ନଅ ଦିନର ଯାତ୍ରା ରଥଯାତ୍ରା । ପୁଣି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡା । ଏହାରି ଭିତରେ ମା’ଲକ୍ଷ୍ମୀଙ୍କ ଅଭିମାନ ଆଉ ନନ୍ଦିଘୋଷ ରଥ ଭଙ୍ଗା । ବାହୁଡା ବାଟରେ ପୁଣି ଲକ୍ଷ୍ମୀ ନାରାୟଣ ଭେଟ ଆଉ ନିଳାଦ୍ରୀ ବିଜେ ପୂର୍ବରୁ ପ୍ରିୟତମାଙ୍କ ମାନଭଂଜନ ପାଇଁ ନାରାୟଣଙ୍କ ରସଗୋଲା । କାଳକାଳ ଧରି ବଜାୟ ରହିଛି ଏହି ପରମ୍ପରା ।

-ରଥଯାତ୍ରା ହେବ ହେବନି । କାଠଗଡାରେ ପହଂଚିଲେ ଠାକୁର । ସୁପ୍ରିମକୋର୍ଟ କହିଲେ କରୋନା ପାଇଁ ଯାତ୍ରା ଅସମ୍ଭବ । ରଥଯାତ୍ରା ଉପରେ ଲଗାଇଲେ ରୋକ । ବାସ୍ ଖୁସି ହୋଇଗଲେ ଲକ୍ଷ୍ମୀ ଠାକୁରାଣୀ । ନା’ ଯାତ୍ରା ହେବ ନା’ ତାଙ୍କୁ ଛାଡି ଯିବେ ନାରାୟଣ ।

-ବଦଳିଲା ନିଷ୍ପତ୍ତି । କଟକଣା ଭିତରେ ରଥଯାତ୍ରା ହେବ । ରାଗିଗଲେ ଲକ୍ଷ୍ମୀ, କାନ୍ଦିଲେ । ମନରେ ଉଙ୍କି ମାରିଲା ନଅ ଦିନର ବିରହର ଆଶଙ୍କା । ହେଲେ ମାଉସୀ ଘର ସ୍ୱପ୍ନ ଦେଖି ଖୁସିରେ ବିଭୋର ହୋଇଗଲେ କାଳିଆ ଠାକୁର । -ସମୟ ଆସିଗଲା । ପହଂଚିଗଲା ୯ ଦିନର ବିଚ୍ଛେଦର ମୁହୂର୍ତ୍ତ । ଭାଇ ଭଉଣୀଙ୍କୁ ନେଇ ବଡଦାଣ୍ଡକୁ ଓହ୍ଲାଇ ଆସିଲେ ମହାବାହୁ । ରଥ ଗଡିଲା ଜନ୍ମବେଦୀକୁ । ଭାଇ, ଭଉଣୀକୁ ନେଲେ ତାଙ୍କୁ ଏକା କରିଦେଲେ । କୋହ ସମ୍ଭାଳି ପାରିଲାନି ହୃଦୟ, ଆଖିରୁ ଛଳ ଛଳ ହୋଇ ଲୁହ ବୋହିଗଲା।
-ଶ୍ରୀମନ୍ଦିରରେ ପ୍ରତି କ୍ଷଣ ଏକା ବିତୁଛି । ଦିନ ପରେ ଦିନ ତିନି ଦିନ ହୋଇଗଲା । କ୍ୟାଲେଣ୍ଡରରେ ଛକି ଦିଆ ହଉଛି । ମନରେ ମନରେ ରାଗ ବଢ଼ୁଛି । କେବେ ଫେରିବେ ଜଗନ୍ନାଥ । ଅନାଇ ରହିଛନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ଶ୍ରୀମନ୍ଦିରରେ ବିରହ ହେଲେ ଗୁଣ୍ଡିଚା ମନ୍ଦିରରେ ଉଲ୍ଲାସ । ଶ୍ରୀଜିଉଙ୍କ ପାଇଁ ପରସା ହୋଇଛି ଷାଠିଏ ପଉଟି ଭୋଗ । ଶ୍ରୀମନ୍ଦିରରେ ଛାଡି ଆସିଥିବା ପ୍ରିୟତମାଙ୍କ ମନେ ପଡିବ କାହିଁ ।

-ଦକ୍ଷିଣ ମୋଡ ହେଲା ରଥ । ଫେରିବା ବାଟ ପ୍ରସ୍ତୁତ ହେଲା । ପାଂଚ ଦିନ ପରେ ଆଉ ସହିପାରିଲେନି ପଦ୍ମାଳୟା । ମନ୍ଦିର ଭିତରୁ ଗୋଡ କାଢ଼ି ପହଂଚିଗଲେ ଶରଧାବାଲିରେ । ଠାକୁରଙ୍କୁ ବୁଝାଇ ପାରିଲେନି । ହେଲେ କ୍ରୋଧ ରୋକିବେ କେମିତି । ଅଭିମାନ କରି ଭାଙ୍ଗି ଦେଲେ ନନ୍ଦିଘୋଷ।
-ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା । ଭାଇ, ଭଉଣୀଙ୍କୁ ନେଇ ଘେନି ଆସୁଛନ୍ତି ଚକା ନୟନ । ହେଲେ ଲକ୍ଷ୍ମୀ ଠାକୁରାଣୀଙ୍କ କମୁ ନାହିଁ ଅଭିମାନ। ରଥ ବାହୁଡୁଛି, ହେଲେ ରାଗରେ ପଂଚମ ମା ସାଆନ୍ତାଣୀ ।
– ଜନ୍ମବେଦୀରେ ମାଉସୀ ମା’ଙ୍କ ହାତରୁ ଖାଇଲେ, ଗେହ୍ଲ ବି ହେଲେ । ପ୍ରତିଶ୍ରୁତି ଦେଲେ ପୁଣି ଆର ବର୍ଷକୁ ଆସିବେ । ବାଟରେ ସୁଆଦିଆ ପୋଡ ପିଠା ବି ଖିଆହେଲା । ୯ ଦିନ ଯାତ୍ରାର ନବମ ଦିନରେ ନିଳାଦ୍ରୀ ବିଜେ ବେଳେ ବାଟ ହୁଡିଲେ ଅନ୍ନପୂର୍ଣ୍ଣା । ହେଲେ ପ୍ରିୟତମାଙ୍କ ମାନଭଂଜନ ପାଇଁ ରସଗୋଲା ଆଣିଥିଲେ, ଲୀଳାମୟ କାଳିଆ ଠାକୁର । କମିଲା ରାଗରୁଷା । ରତ୍ନବେଦୀକୁ ଫେରିଗଲେ ଜଗନ୍ନାଥ ।

Leave A Reply

Your email address will not be published.