Latest Odisha News

BREAKING NEWS

୨୦୨୩ ରିପୋର୍ଟ ମୁତାବକ; ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ୬୦୦ ଜୀବନ

ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ରିପୋର୍ଟ ମୁତାବକ, ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧି ପାଉଛି । ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫ ହଜାର ୬୦୦ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୭୦% ହେଉଛନ୍ତି ଯୁବ ବର୍ଗ ।

ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଟୁକୁନି ସାହୁ ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲମେଟ ଆଇନକୁ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଜାତୀୟ ରାଜପଥ ୧୬ ଓ ୩୧୬ କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମାନେ ଜୁନ୍ ମାସ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ ଏବଂ ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଯେପରି ହ୍ରାସ ପାଇବ ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି ।

ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ଟି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବାରୁ ଉନ୍ନୟନ କମିଶନର ଅନୁ ଗର୍ଗ ନିର୍ମାଣ ବିଭାଗ ଅଧିକାରୀମାନଙ୍କୁ ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସୁରକ୍ଷା ଅଡିଟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଡିଟ ରିପୋର୍ଟ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଏକୀକୃତ କରାଯିବ । ଏକ ମୋବାଇଲ ଆପ୍ଲିକେସନ ଦ୍ୱାରା ସମସ୍ତ ଏମର୍ଜେନ୍ସି କେୟାର ସର୍ଭିସ ଏକୀକୃତ ହେବେ । ଫଳରେ ଦୁର୍ଘଟଣା ଘଟିବା ପରେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ସୂଚନା ଯିବ । ଏହି ଆପ୍ଲିକେସନ ମାସକ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ରାଜପଥରେ ଗୃହପାଳିତ ପଶୁଙ୍କର ଅବାଧ ଚଳପ୍ରଚଳନକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକରେ ତାର ବାଡ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇ-ଚାଲାଣ ଆଦାୟକୁ ତ୍ୱରାନ୍ୱିତ କରିବା ପାଇଁ ଇ-ସମନ ପ୍ରଚଳନ କରିବା ଦିଗରେ ପ୍ରସ୍ତାବ ରଖାଯାଇଛି ।

ଏହି ବୈଠକରେ ଉନ୍ନୟନ କମିସଶନର ଅନୁ ଗର୍ଗ, ପୋଲିସ ମହାନିର୍ଦେଶକ ଅରୁଣ ଷଡଙ୍ଗୀ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଟ୍ରକ ଓ ବସ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ ବିଭାଗ, ନିର୍ମାଣ, ଆଇନ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.