ବାଲିଅନ୍ତା: କୁଆଖାଇରେ ବାରମ୍ବାର ଘଟୁଛି ଅଘଟଣ । ଏହି କୁଆଖାଇ ନଦୀ ୬ ବର୍ଷରେ ୫୦ରୁ ଅଧିକ ଯୁବକଙ୍କ ପ୍ରାଣ ନେଲାଣି । ଶୁକ୍ରବାର ବାଲିଅନ୍ତା ଥାନା ଇନ୍ଦ୍ରପାଳ ନିକଟରେ ଗାଧୋଇବା ବେଳେ ନଦୀରେ ଭାସି ଯାଇଥିଲେ ଦୁଇ ସାଙ୍ଗ।
ଯୁବକ ଦ୍ବୟ ହେଲେ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ । ଉଭୟଙ୍କ ବୟସ ପ୍ରାୟ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ଦିବ୍ୟଜ୍ୟୋତିଙ୍କ ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ବେଳେ ରୁଦ୍ର ନାରାୟଣଙ୍କ ଘର ଧଉଳି ଅଞ୍ଚଳରେ ।
ଶୁକ୍ରବାର ସଂଧ୍ୟାରେ ଜଣଙ୍କ ମୃତଦେହ ଠାବ ହୋଇଛି। ବହୁ ଖୋଜାଖୋଜି ପରେ ୩୦ ଘଣ୍ଟା ପରେ ଅନ୍ୟ ଜଣଙ୍କ ମୃତଦେହ ମିଳିଛି। ମୃତ ଛାତ୍ର ଲକ୍ଷ୍ମୀସାଗର ଥାନା ରେଲୱେ କଲୋନୀର ଦିବ୍ୟଜ୍ୟୋତି ସ୍ବାଇଁ।
ସୂଚନାନୁଯାୟୀ, ବାଲିଅନ୍ତା ଥାନା ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଚାରି ଜଣ ସାଙ୍ଗ ଭୋଜି କରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ବଢ଼ି ଥିବାରୁ ଏହି ସମୟରେ ହଠାତ୍ ଦୁଇ ଜଣ ନଦୀର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ ।
ତେବେ ବେଆଇନ ବାଲି ଉତ୍ତୋଳନ କାରଣରୁ ନଦୀ ଗର୍ଭରେ ଅନେକ ସ୍ଥାନରେ ଗଭୀର ଖାଲ ହୋଇଛି। ଯାହା ବାହାରକୁ ଜଣାପଡ଼େନି। ଗାଧୋଇବା ସମୟରେ ଗୋଡ଼ ଖସିଗଲେ ଲୋକେ ଗଭୀର ଗର୍ତ୍ତରେ ବୁଡ଼ି ଯାଆନ୍ତି। ବର୍ଷା ଦିନେ ଉପର ମୁଣ୍ଡରୁ ପାଣି ଛଡ଼ାଗଲେ ନଦୀର ଜଳସ୍ତର ଏବଂ ସ୍ରୋତ ହଠାତ୍ ବଢ଼ିଯାଏ। ସାଧାରଣ ଲୋକ ଏହି ସ୍ରୋତର ଗତିକୁ ଆକଳନ କରିପାରନ୍ତି ନାହିଁ। ସଚେତନ କରାଯାଉଥିଲେ ବି ବାରମ୍ବାର ଅଘଟଣ ଘଟୁଛି ।


Comments are closed.