Latest Odisha News

[ଭିଡ଼ିଓ] ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲକେ’ସମ୍ମାନ

ଦିଲ୍ଲୀ: ସାଉଥ ତଥା ବଲିଉଡର ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର । ରଜନୀକାନ୍ତଙ୍କୁ ୬୭ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ୫୧ତମ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପ୍ରଦାନ କରାଯାଇଛି ।

ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କଠାରୁ ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ପୁରସ୍କାର ଗ୍ରହଣ କରିବା ପରେ ରଜନୀକାନ୍ତ ତାଙ୍କ ଜୀବନଯାତ୍ରା କଥା ସ୍ମରଣ କରି ସାମାନ୍ୟ ବସ୍‌ କଣ୍ଡକ୍ଟର୍‌ରୁ ଖ୍ୟାତନାମା ଅଭିନେତା ହୋଇଥିବା କଥା କହିବା ସହ ଚଳଚ୍ଚିତ୍ରରେ ଯୋଗ ଦେବାକୁ ପ୍ରବର୍ତ୍ତାଇ ଥିବା ପୁରୁଣା ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । କଣ୍ଠଶିଳ୍ପୀ ଆଶା ଭୋସଁଲେ ଓ ଶଙ୍କର ମହାଦେବନ, ଅଭିନେତା ମୋହନଲାଲ୍‌ ଓ ବିଶ୍ୱଜିତ ଚାଟାର୍ଜୀ ଓ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ପାଇଁ ମନୋନୀତ କରିଥିଲେ ।

ଭାରତରେ ସବୁଠାରୁ ପ୍ରତିଷ୍ଠିତ ତାରକାଙ୍କ ମଧ୍ୟରେ ରଜନୀକାନ୍ତ ଅନ୍ୟତମ । ପ୍ରଶଂସକଙ୍କ ମଧ୍ୟରେ ଥାଲାଇଭ। (ନେତା) ଭାବରେ ଜଣାଶୁଣା ।ଟଲିଉଡରୁ ଆରମ୍ଭ କରି ବଲିଉଡ ସବୁଠି ଦେଖାଇଛନ୍ତି ନିଜ ଅଭିନୟର ଯାଦୁ । ୧୨ ଡିସେମ୍ବର ୧୯୫୦ରେ ରଜନୀକାନ୍ତ ବେଙ୍ଗାଲୁରୁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରଜନୀକାନ୍ତ କେବଳ ଟଲିଉଡରେ ନୁହେଁ ବରଂ ବଲିଉଡରେ ପରିଶ୍ରମ ଯୋଗୁଁ ଅନେକ ନାମ ଅର୍ଜନ କରିଛନ୍ତି ।

ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ ।୨୫ ବର୍ଷ ବୟସରେ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଥିଲା ‘ଆପୋରଭା ରାଗନାଗଲ୍’ । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ‘ଭୈରବୀ’ ୧୯୭୮ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ସୁପରଡୁପର ହିଟ୍ ହୋଇଥିଲା ।

ବଲିଉଡରେ ରଜନୀକାନ୍ତ ୨.୦, ଇନସାଫ୍ କୋନ୍ କରେଗା, ଖୁନ୍ କା କର୍ଜ, କ୍ରାନ୍ତିକାରୀ, ମେରୀ ଅଦାଲତ, ଜାନ୍ ଜାନି ଜନାର୍ଦ୍ଦନ, ଭଗବାନ୍ ଦାଦା, ଅନ୍ଧା କାନୁନ, ଚାଲବାଜ ଏବଂ ଇନସାନିୟତ୍ କା ଦେବତା ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଇଖାଇଛନ୍ତି । ରଜନୀକାନ୍ତଙ୍କୁ ଏସିଆର ସବୁଠାରୁ ଦାମୀ ତାରକା ମଧ୍ୟ କୁହାଯାଏ । ସିନେମା ଜଗତକୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦାନ କରିଥିବା ରଜନୀକାନ୍ତଙ୍କୁ ୨୦୧୪ ରେ ୬ ଟି ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ଭାରତ ସରକାର ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଓ ୨୦୧୬ ରେ ପଦ୍ମ ବିଭୂଷଣ ପୁରସ୍କାରରେ ପୁରସ୍କୃତ କରିଥିଲେ । ରଜନୀକାନ୍ତଙ୍କୁ ପ୍ରଥମେ ତାମିଲ ସିନେମାରେ ‘ଅପୂର୍ବ ରଙ୍ଗଲାଲ’ ଡେବ୍ୟୁ କରିଥିଲେ । ରଜନୀକାନ୍ତଙ୍କ ସଫଳ ସିନେମା ମଧ୍ୟରେ ଶିବାଜୀ, ଓ ଏନ୍ଥୀରନ ସିନେମା ଅନ୍ୟତମ ।

ସିନେମା ଜଗତରେ ଭାରତରେ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ ଦାଦାସହେବ ଫାଲକେ ପୁରସ୍କାର । ଏହି ପୁରସ୍କାର ପାଇବା ପରେ ରଜନୀକାନ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave A Reply

Your email address will not be published.