Latest Odisha News

BREAKING NEWS

ଧାମନଗର: ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଧାମନଗର :  ସରିଲା ଧାମନଗର ଉପନିର୍ବାଚନ । ୪୬ ନମ୍ୱର ବିଧାନସଭା ଆସନ ପାଇଁ ପଡିଲା ଭୋଟ୍ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮.୫୩ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥରେ ଭିଡ଼ ଥିବାରୁ ୬ଟା ପରେ ବି ମତଦାନ ଜାରି ରହିବ । କୌଣସି ବୁଥରେ ହିଂସାକାଣ୍ଡ ଘଟି ନାହିଁ, ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ବୁଥ୍ ବାହାରେ ବୋଲି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ମତାଧିକାର ଥିଲେ । ବିଜେଡିର ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସ ନିର୍ବାଚନରେ ପ୍ରାର୍ଥୀ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଏ ବାଜିମାତ୍ କରିବ ତାହାକୁ ନେଇ ନାନା କଳ୍ପନାଜଳ୍ପନା । ୬ ତାରିଖରେ ହେବ ଭୋଟ୍ ଗଣତି ।

ଭୋଟିଂ ବେଳେ କାଁ ଭାଁ ଉତ୍ତେଜନା ଦେଖିବାକୁ ମିଳିଥିଲା ।  ରାମେଶ୍ୱରପୁର ୧୬୯ ଓ ୧୭୦ ନମ୍ୱର ବୁଥରେ  ଦୁଇ ଗୋଷ୍ଠୀ ହାତାହାତି ହୋଇଥିବାବେଳେ ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଭିଯୋଗକୁ ଆଧାର କରି ଧାମନଗର ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେହିପରି ଖଳାଗଡିଆ ବୁଥ୍ ନମ୍ୱର ୨୨ ଓ ୨୩ରେ ରିଗିଂ ଅଭିଯୋଗ ହୋଇଥିଲା । ବିଜେଡିକର୍ମୀ ରିଗିଂ କରୁଥିବା ନେଇ ବିଜେପିକର୍ମୀ ଅଭିଯୋଗ ଆଣିଥିଲେ ।

ଧାମନଗର  ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ । ବିଜେପି ପ୍ରାର୍ଥୀ ଦିଗଙ୍ଗତ ବିଧାୟକଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ଭୋଟ୍ ଦେବା ପରେ ନିଜର ବିଜୟ ହେବାର ଆଶା ପୋଷଣ କରିଛନ୍ତି ।

ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଙ୍କ୍ ବୁଥ୍ ହୋଇଛି । ଆଜି ଗୁରୁବାର ସୁଦଶାବ୍ରତ ଥିଲେ ସୁଦ୍ଧା ପୂଜା ସାରି ମହିଳାମାନେ ଭୋଟ୍ ଦେବାକୁ ଏଠାକୁ ଆସିଥିଲେ । ଆଦର୍ଶ ମହିଳା ମତଦାନ କେନ୍ଦ୍ର ବା ପିଙ୍କ୍ ବୁଥ୍ ଟି ୧୩୦ ଓ ୧୩୧ନମ୍ୱର ବୁଥ୍ । ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ମହିଳାମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.